ଆଇଏଏସ୍ ଅଧିକାରୀଙ୍କ ଲାଞ୍ଚ ମାମଲା
ନୁଆକଥା ନୁହେଁ , ଅନେକ ଅଛନ୍ତି : ଲୋକେ ସାହସ କରୁନାହାଁନ୍ତି !
ଭବାନୀପାଟଣା : ଧର୍ମଗଡ ଉପଜିଲ୍ଲାପାଳ ଧୀମାନ୍ ଚ କ୍ ମା ଜଣେ ଜୟପାଟଣାର ଜଣେ କ୍ରସର୍ ମାଲିକ ହର୍ଷବର୍ଦ୍ଧନ ବେହେରାଙ୍କୁ କାର୍ଯ୍ୟାନୁଷ୍ଠାନ ଧମକ ଦେଇ ୨୦ ଲକ୍ଷ ଟଙ୍କା ଦାବିକରି ତାଙ୍କ ସରକାରୀ ବାସଭବନରେ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଲାବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହେବା ସହ ତାଙ୍କ ବାସଭବନରୁ ନଗଦ ୪୭ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ ହେବା ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ଯ ସୃଷ୍ଟି କରିଛି । ଏଥିପାଇଁ ତାଙ୍କୁ ମୁଖ୍ଯମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଚାକିରୀରୁ ନିଲମ୍ବନ କରାଯାଇଛି । ଗତ ପ୍ରାୟ ୬ମାସ ହେଲା ସେ ତାଙ୍କ କ୍ଷମତାର ଅପବ୍ୟବହାର କରି ସିଧାସଳଖ ଏପରି ଡିଲ୍ କରୁଥିବା ଚର୍ଚ୍ଚା ହେଉଥିବା ଓ ଆଗାମୀ ଜୁଲାଇରେ ତାଙ୍କୁ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଭାବରେ ପଦୋନ୍ନତି ହେବାକୁ ଥିବାଯୋଗୁଁ ସେ ସମସ୍ତ କ୍ରସର, ବାଲିଘାଟ, ଆରଏମସି , ଆଦିବାସୀ ହରିଜନ ଜମିବିକ୍ରି ଅନୁମତି ଓ ରାଜସ୍ବ କାମ ନିମନ୍ତେ ଖୋଲାଖୋଲି ଟଙ୍କା ନେଉଥିବା ଅଭିଯୋଗ ରହିଥିଲା ବୋଲି ପ୍ରକାଶ । ଏଣୁ ତାଙ୍କ ବାସଭବନରୁ ଜବତ ଲକ୍ଷାଧିକ ପରିମାଣର ଟଙ୍କା ଯେ ଏଇ ସୂତ୍ରରୁ ଆସିଥିବ , ଅନୁମାନ କରାଯାଇପାରେ । କାରଣ ସେ ଧର୍ମଗଡ ଉପଖଣ୍ଡର କ୍ରସରମାନଙ୍କ କମ୍ପୋଜିସନ୍ ସାର୍ଟିଫିକେଟ୍ ପାଇଁ କଡା କାର୍ଯ୍ୟାନୁଷ୍ଠାନ ପାଇଁ ତାଗିଦ କରି ଡିଲ୍ କରିଥିବା ଓ କ୍ରସର୍ ବନ୍ଦ କରିବାକୁ ଧମକ ଦେଉଥିବା ପ୍ରକାଶ।
ସେ ଧରାପଡିଥିବା କ୍ରସରର ପ୍ରାୟ ଦେଢକୋଟିରୁ ଉର୍ଦ୍ଧ୍ବ ଜୋରିମାନା ପାଇଁ ଖଣି ବିଭାଗର ନୋଟିସ୍ ତାଙ୍କୁ ସୁହାଇଥିଲା । ତେବେ ସମ୍ପୃକ୍ତ କ୍ରସର ମାଲିକ ମଧ୍ଯ କମ୍ କରିତ୍ କର୍ମା ନୁହଁନ୍ତି ଓ ସେ ଲାଞ୍ଜିଗଡ ବ୍ଲକରେ ଜଣେ ବିଧବା ଆଦିବାସୀ ମହିଳାଙ୍କ ନାଁ’ରେ ୫ କୋଟିର ଏକ କ୍ରସର ବସାଇଥିବା ଏବଂ କଳାହାଣ୍ଡି ଜିଲ୍ଲାପାଳ ଏହାର ଏନଓସି ବାତିଲ୍ କରିଥିବା ଜଣକ ସୋସିଆଲ ମିଡିଆ ପୋଷ୍ଟରୁ ପ୍ରକାଶ।
ସେ ଯାହାହେଉ, ଏହି ଜଣେ ଆଇଏଏସ ଅଧିକାରୀ ଭିଜିଲାନ୍ସରେ ପ୍ରଥମ କରି ଗିରଫ ହୋଇଥିଲେ ହେଁ , ଏପରି ଆଇଏଏସ, ଜିଲ୍ଲାପାଳ,ଡିଏସପି , ଓଏଏସ ବା ବଡବଡିଆ ଅଧିକାରୀମାନେ ଟଙ୍କା ଲାଞ୍ଚ ନେଇ ଧରାପଡିବା ଓ ଜେଲ୍ ଯିବା ଘଟଣା ମୁଖ୍ଯତଃ ପଶ୍ଚିମଓଡିଶାର ଜିଲ୍ଲାମାନଙ୍କରେ ନୂଆ ନୁହେଁ । ଏହି ପରିପ୍ରେକ୍ଷୀରେ ପୂର୍ବରୁ ୭ ଜଣ ଆଇଏଏସ ଅଧିକାରୀ ନିଲମ୍ବିତ ହୋଇସାରିଥିବା ଓ ସେମାନେ ପ୍ରଶାନ୍ତ ନାୟକ , ମୃଣାଳିନୀ ଦର୍ସୱାଲ୍ , ଜାନକୀ ବଲ୍ଲଭ ମିଶ୍ର, ଦେବରାଜ ମିଶ୍ର ( ବଲାଙ୍ଗୀର ଆରଆଇ / ଅମିନ ନିଯୁକ୍ତି ମାମଲାରେ ଲାଞ୍ଚ ନେଇ ଜେଲ୍ ଯାଇଥିବା )ବିନୋଦ କୁମାର ( ଦୋଷୀସାବ୍ୟସ୍ତ ହୋଇ ବରଖାସ୍ତ ), ବିଜୟ କେତନ ଉପାଧ୍ୟାୟ ଓ ପାର୍ଥସାରଥୀ ମିଶ୍ର ନିଲମ୍ବିତ ହୋଇ ପରେ ପୁଣି କାର୍ଯ୍ୟରେ ବହାଲ ହୋଇଥିବା ) ପ୍ରକାଶ ।
ନିକଟରେ ଏହି ନୂତନ ସରକାର ଅମଳରେ ମଧ୍ଯ ପଡୋଶୀ ଜିଲ୍ଲାର ଦୁଇଜଣ ଜିଲ୍ଲାପାଳଙ୍କ ନାଁ’ରେ ଏପରି ବଟି , ଲାଞ୍ଚ ଓ ଟଙ୍କା ଦାବିକରୁଥିବା ଅଭିଯୋଗର ଚର୍ଚ୍ଚା ପ୍ରକାଶ ପାଇଛି । ବିଶେଷତଃ ରାଇସ୍ ମିଲ୍ ଓ ଅଙ୍ଗନବାଡି ଛତୁଆ ଏସଏଚଜି ଓ ବାଇପାସ୍ ରାସ୍ତା ଅଧିଗ୍ରହଣର କ୍ଷତିପୂରଣ ପ୍ରଦାନ ଇତ୍ୟାଦିରେ ଏଭଳି ଖୋଲାଖୋଲି ଟଙ୍କା କାରବାର ହେଉଥିବା ଅଭିଯୋଗ ପ୍ରକାଶ ପାଇଛି । ବିଗତବର୍ଷ ତତ୍କାଳୀନ କଣ୍ଟାବାଞ୍ଜି ଏସ୍ ଡି ପିଓ ହୃଷିକେଶ ମେହେର କେତେକ ଆନ୍ଧ୍ର ଦାଦନ ସେଠଙ୍କୁ ଲଜରେ ଚଢଉ କରି ଥାନାକୁ ଧରିଆଣି ସେମାନଙ୍କ ଠାରୁ ପ୍ରାୟ ୧ କୋଟି ଟଙ୍କା ହଡପ କରି ତତ୍କାଳୀନ ଏସ୍ ପି ଧରିଥିଲେ । ତାଙ୍କଠାରୁ ଉକ୍ତ ଟଙ୍କା ଜବତ ହୋଇଥିଲେ ହେଁ , ସବୁ ଟଙ୍କା ଜବତ କରାଯାଇ ନ ପାରି କେତେ ଲକ୍ଷ ମାତ୍ର ଦର୍ଶାଯାଇଥିବା ଲୋକଙ୍କ ଚର୍ଚ୍ଚାରୁ ପ୍ରକାଶ । ଗୁରୁତ୍ବପୂର୍ଣ୍ଣ ଅଭିଯୋଗ ଯେ ବଡବଡିଆ ନିର୍ବାଚିତ ଲୋକପ୍ରତିନିଧିଙ୍କ ନାଁ’ରେ ମଧ୍ଯ ଏଭଳି ଅଭିଯୋଗ ପ୍ରକାଶ ପାଉଛି !
ତେବେ ଅନେକତଃ ଏପରି ବଡବଡିଆଙ୍କ ବ୍ୟତୀତ କେତେକ ହାତଗଣତି ବିଡିଓ , ଯନ୍ତ୍ରୀ , ସିସିଏସଓ ( ବଲାଙ୍ଗୀର ଓ ସୁବର୍ଣ୍ଣପୁର) , ପୁଲିସ, ବନ ଅଧିକାରୀ , ମନରେଗା କର୍ମଚାରୀ ଓ ଅନ୍ଯାନ୍ଯ କର୍ମଚାରୀଙ୍କୁ ଭିଜିଲାନ୍ସ ଧରିଛି । ଏଇ ନିକଟରେ ବରଗଡ ଜିଲ୍ଲାର ଗାଇସିଲେଟ ଓ ଲମତାପୁଟ ବ୍ଲକର ଦୁଇଜଣ ମହିଳା ଯନ୍ତ୍ରୀ ମନରେଗା ବିଲ୍ ପାଇଁ ୮ ହଜାର ଟଙ୍କା ଲେଖାଏଁ ଲାଞ୍ଚ ନେଲାବେଳେ ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି ।
ତେଣୁ ଏହି ଉକ୍ତ ଅଭିଯୁକ୍ତମାନଙ୍କ ନିଯୁକ୍ତି , ବଦଳି , ଅଭିଯୋଗକୁ ଚପାଇଦେବା ବା ତଦନ୍ତ ଆଳରେ କାଳକ୍ଷେପଣ କରି ଦିନଗଡାଇ ସଂରକ୍ଷଣ ଦେଉଥିବା ପଛରେ କାହାର ଛତ୍ରଛାୟା ରହିଛି , ସେମାନଙ୍କୁ ବାହାର କରିବ କିଏ ?
ଲୋକେ ସାହସ କରି ଅଭିଯୋଗ କଲେ , ଏହା ଧରାପଡିପାରିବ । ହେଲେ ବିଲେଇ ବେକରେ ଘଣ୍ଟି ବାନ୍ଧିବ କିଏ ?