ଦୁର୍ନୀତି

ଧାନଚାଉଳ ସଂଗ୍ରହରେ ସହଯୋଗ କରୁଥିବା ମିଲର୍ସଙ୍କୁ ହଇରାଣ

Email :

ଗତବର୍ଷର ୬୦ ଲକ୍ଷର ବିଲ୍ ଅଟକ ଅଭିଯୋଗ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାର ମିଲର୍ସଙ୍କ ସହଯୋଗରେ ସରକାର ପ୍ରତିବର୍ଷ ଖରିଫ ଓ ରବିଧାନ କିଣୁଥିବା ସହିତ ଚାଉଳ ସଂଗ୍ରହରେ ବରାବର ସରକାରୀ ଧାର୍ଯ୍ଯ ଲକ୍ଷ୍ୟ ପୂରଣ କରି ଚାଷୀ , ଶ୍ରମିକ ଓ ନିୟନ୍ତ୍ରିତ ବଜାର ବ୍ୟବସ୍ଥାକୁ ସମ୍ଭାଳି ଆସୁଥିବା ବେଳେ , ସରକାର ବା ପ୍ରଶାସନ ବା ଯୋଗାଣ ବିଭାଗ ପକ୍ଷରୁ ଏହି କୃଷିଭିତ୍ତିକ ଶିଳ୍ପକୁ ବିଭିନ୍ନ ଉପାୟରେ ନିରୁତ୍ସାହିତ କରିଆସୁଥିବା ଅଭିଯୋଗ ହେଉଛି । ଏପରିକି ଠିକ୍ ସମୟରେ ମିଲର୍ସଙ୍କ ବିଲ୍ ଦିଆଯିବାରେ ଜାଣିଶୁଣି ହଇରାଣ ହରକତ କରାଯାଉଛି । ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖାଯାଇଛି ଏବେ ବଲାଙ୍ଗୀର ଜିଲ୍ଲା ଯୋଗାଣ ବିଭାଗ ଅଫିସ୍ ଆଗରେ ଜଣେ ମିଲର୍ ତାଙ୍କର ଲକ୍ଷାଧିକ ଟଙ୍କାର ବିଲ୍ ଅଟକ ରଖାଯିବାରୁ ଆତ୍ମାହୁତି ଉଦ୍ୟମ କରିବା ଘଟଣାରୁ ।

ପ୍ରକାଶ ଯେ ବେଲପଡାର ଶଙ୍କର ଜୈନ ନାମକ ଜଣେ ମିଲର୍ ତାଙ୍କର ଗତ ୨୦୨୩- ୨୪ ବର୍ଷର ଚାଉଳର ୬୦ ଲକ୍ଷ ଟଙ୍କା କଷ୍ଟମ୍ ମିଲିଂ ମୂଲ୍ଯ ପାଇବାକୁ ବହୁବାର ଅଫିସକୁ ଧାଇଁ ଧାଇଁ ସମ୍ପୂର୍ଣ୍ଣ ନିରାଶ ହୋଇପଡିବାରୁ ରେଳଲାଇନ୍ ରେ ଆତ୍ମହତ୍ୟା କରିବାକୁ ଦୌଡିଥିଲେ । ଅନ୍ୟ ମିଲର୍ ମାନେ ତାଙ୍କୁ ଅଟକାଇ ନିବୃତ୍ତ କରିଥିଲେ । ଖବରପାଇ ସେଠାରେ ଗଣମାଧ୍ୟମର ପ୍ରତିନିଧିମାନେ ଜମା ହୋଇଯିବାରୁ ସେ କାନ୍ଦି କାନ୍ଦି କିପରି ନାନାଦି ଆଳରେ ସିସିଏସଓ ଅଫିସରେ ତାଙ୍କ ବିଲ୍ କୁ ଅଟକାଇ ହଇରାଣ କରାଯାଉଛି , ବଖାଣିଥିଲେ । ‘ ମନା କରୁ ନାହାଁନ୍ତି । ହଁ କରୁଛି । ଆଜି କରିଦେବି ‘ କହି ଦିନ ଗଡାଉଛନ୍ତି ଚାରିମାସ ହେଲା । ସିସିଏସଓ ଓ ଏ ଏମ୍ ବୁଝି ନପାରି ପରସ୍ପର ଉପରେ ଦୋଷ ଲଦାଲଦି ହୋଇ କାଳେ ସେମାନଙ୍କ ଉପରେ ରିକଭରି ପଡିଯିବ , ଏଇ ଆଶଙ୍କାରେ ବିଲ୍ ପଠାଉ ନାହାଁନ୍ତି । କ’ଣ ଚାହୁଁଛନ୍ତି , ହେଲେ କହୁ ବି ନାହାଁନ୍ତି ? ମୋ ସହିତ ଜିଲ୍ଲାର ୬୮ ଟି ମିଲ୍ କଷ୍ଟମ୍ ମିଲିଂ ପାଉଣା ପାଇ ନ ଥିବା ସେ କହିଛନ୍ତି । ଏହି ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇପଡିଛି ।

ଏ ସମ୍ପର୍କରେ ସିସିଏସ୍ ଓ ରଞ୍ଜନ କୁମାର ପଣ୍ଡାଙ୍କୁ ଯୋଗାଯୋଗ କରାଯାଇଥିଲା । କିନ୍ତୁ ସେ କୌଣସି ଉତ୍ତର ଦେଇ ନଥିବା ବେଳେ , ଯୋଗାଣ ନିଗମର ଜଣେ ଅଧିକାରୀ ଗିରିଜା ଶଙ୍କର ବେହେରା ‘ଏଥିରେ ବିଭାଗ ପକ୍ଷରୁ ସେମିତି କିଛି ଜାଣିଶୁଣି ପ୍ରତିବନ୍ଧକ ସୃଷ୍ଟି କରାଯାଉ ନ ଥିବା ଓ ମିଲର୍ସ ପାଉଣା ଦିଆଯିବାର ପ୍ରକ୍ରିୟା ଚାଲିଥିବା ସଫେଇ ଦେଇଛନ୍ତି । ତାଙ୍କ କହିବାନୁଯାୟୀ , ମୋଟ ୪୯ ମିଲର୍ସଙ୍କ ବକେୟା ବିଲ୍ ରୁ ଇତିମଧ୍ୟରେ ୩୧ ଟି ଓ ଶଙ୍କର ଜୈନଙ୍କ ୬ ଟି ମିଲ୍ ରୁ ୩ ଟିର ପାଉଣା କ୍ଲିଅର୍ ହୋଇ ସାରିଲାଣି । ତାଙ୍କର ଅବଶିଷ୍ଟ ବାକି ୩ ଟି ମିଲ୍ ରୁ ଗୋଟିଏ ଭୁବନେଶ୍ବର ଏମ୍ ଡି ସ୍ତରରେ ଓ ଦୁଇଟି ଏଠାରେ ଆବଶ୍ୟକ କାଗଜପତ୍ର ଦାଖଲ ହୋଇ ନ ଥିବାରୁ ଅଟକି ରହିଛି । ତେବେ ଶେଷରେ ତାଙ୍କୁ ଅଧାପାଉଣା ଦିଆଗଲାଣି ବୋଲି ଜଣାଯାଇଛି ।

ଏ ସମ୍ପର୍କରେ ଅନ୍ୟ ମିଲରଙ୍କୁ ପଚାରିବାରୁ ଅଯଥାଟାରେ ଆବଶ୍ୟକ ନ ଥିବା କାଗଜପତ୍ର ମରାଯାଇ ବିଲ୍ ଅଟକାଯାଉଥିବା ପ୍ରକାଶ କରିଛନ୍ତି।

ପ୍ରକାଶଯୋଗ୍ୟ ଯେ , ଏହାପୂର୍ବରୁ କିଛିମାସ ତଳେ ବଲାଙ୍ଗୀର ଓ ସୋନପୁର ସିସିଏସ୍ ଓ ଓ ବଲାଙ୍ଗୀର ଜିଲ୍ଲା ଯୋଗାଣ ଅଫିସର ଜଣେ ଅଧିକାରୀଙ୍କୁ ଭିଜିଲାନ୍ସ ଧରିଥିଲା । ଆହୁରିମଧ୍ୟ ଏଭଳି ମିଲର୍ସଙ୍କ ବିଲ୍ ଅଟକ ପଛରେ ରାଜନୈତିକ ଅଭିସନ୍ଧି ଥାଇପାରେ ବୋଲି ମଧ୍ଯ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *

Related Post