ଶିଶୁବିକ୍ରି ଅଭିଯୋଗର ତଦନ୍ତ ଓ ଶିଶୁ ସୁରକ୍ଷା କାର୍ଯ୍ଯକ୍ରମରେ ତ୍ରୁଟି
ବଲାଙ୍ଗୀର/ ସୋନପୁର : ଗତବର୍ଷ ବଲାଙ୍ଗୀର ଜିଲ୍ଲାରେ ଏକାଧିକ ଶିଶୁବିକ୍ରି ଅଭିଯୋଗ ହୋଇଥିଲା । ଏହା ଡିସିପିୟୁ ଓ ସିଡବ୍ଲୁସିର ତନାଘନା ସହ ପ୍ରଶାସନ ଓ ପୁଲିସର ଅଧାପନ୍ତରିଆ ତଦନ୍ତ ପରେ ବସ୍ତୁତଃ ମିଡିଆ ମ୍ୟାଟର୍ ଓ ଚପାଇ ଦିଆଯିବାରେ ପରିଣତ ହେଲା । ଟିଟିଲାଗଡ ଉପଖଣ୍ଡ ହାସପାତାଳର ଏମ୍ ସି ଏଚ୍ , ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ବନାମ ଜିଲ୍ଲା ହାସପାତାଳ , ଖପ୍ରାଖୋଲ ସିଏଚ୍ ସି ଅନ୍ତର୍ଗତ ସୁନାମୁଦି ଉପସ୍ବାସ୍ଥ୍ୟ କେନ୍ଦ୍ର ବା ଟିଟିଲାଗଡ ହାଟପଦାପଡା , ଲାଠୋର- ସାନଗୁର୍ଜିଭଟା , ମୁରିବାହାଲ ଥାନାନ୍ତର୍ଗତ କର୍ଲା ଓ ସଇଁତଳାର ଭଦ୍ରା ଗାଁ’ର ଓ ଅନ୍ଯାନ୍ଯଠାରେ ଘଟିଥିବା ଶିଶୁଚୋରୀ ବା ଶିଶୁବିକ୍ରିର ଗୋଟିଏ ବି ଅଭିଯୋଗର ତଦନ୍ତରିପୋର୍ଟ ଅଦ୍ୟାବଧି ସାର୍ବଜନୀନ ହେଲାନାହିଁ ! କିଛିଦିନର ମିଡିଆ ହଟଚମଟ ପରେ ସବୁ ଚର୍ଚ୍ଚା ନୀରବ ହୋଇଗଲା । ଲାଠୋର – ସାନଗୁର୍ଜିଭଟା ଗ୍ରାମର ଶିଶୁକନ୍ୟା ବିକ୍ରି ଅଭିଯୋଗର ଖବର ପାଇ ସ୍ଥାନୀୟ ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଘଟଣାସ୍ଥଳରେ ପହଁଞ୍ଚି ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଏହାପଛରେ କୌଣସି ଆନ୍ତଃରାଜ୍ୟ ବା ଆନ୍ତର୍ଜାତିକ ଶିଶୁଚୋରାଚାଲାଣ ସନ୍ଦେହର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।
ସବୁ ଘଟଣାର ବଲାଙ୍ଗୀର ଶିଶୁ ମଙ୍ଗଳ ସମିତି ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ସହ ରାଜ୍ୟ ଓ ସ୍ଥାନୀୟ ଚାଇଲ୍ଡ ଲାଇନ ପକ୍ଷରୁ ପହଞ୍ଚି ତଦନ୍ତ ପୂର୍ବକ ପ୍ରଶାସନର ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ଥାନାରେ ଏତଲା ଦିଆଯାଇ ମାମଲା ଋଜୁ ମଧ୍ଯ କରାଯାଇଥିଲା । ଏପରିକି ଉକ୍ତ ଶିଶୁଗୁଡିକୁ ଉଦ୍ଧାର କରାଯାଇ ଥିବା ସହ ସାନଗୁର୍ଜିଭଟା ଶିଶୁକନ୍ୟା ବିକ୍ରି ମାମଲାରେ ଲାଠୋର ପୁଲିସ ରାୟପୁର ଯାଇ ଶିଶୁକନ୍ୟାଟିକୁ ଉଦ୍ଧାର କରିବା ସହ ଶିଶୁଟିକୁ କିଣିଥିବା ଓ ମଧ୍ଯସ୍ଥି ପ୍ରମୁଖ ୩ ଜଣ ସମ୍ପୃକ୍ତ ଅଭିଯୁକ୍ତ ଓ ଜଣେ ମହିଳା ସ୍ବାସ୍ଥ୍ୟକର୍ମଚାରୀଙ୍କୁ ଗିରଫ କରାଯାଇଥିଲା । ପଡୋଶୀ କଳାହାଣ୍ଡି ଜିଲ୍ଲାର ନର୍ଲା ଥାନା , ଟିଟିଲାଗଡ ଥାନା, ବଲାଙ୍ଗୀର ଟାଉନ ଆଦର୍ଶଥାନା ଓ ମୁରିବାହାଲ ଥାନା ପୁଲିସ ପକ୍ଷରୁ କିନ୍ତୁ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା , ଜଣାପଡିଲା ନାହିଁ ! ବଲାଙ୍ଗୀର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟର ଶିଶୁବିକ୍ରି ଅଭିଯୋଗର ତଦନ୍ତ ପରେ ଏସ୍ ପି ଅଭିଳାଷ ଜି ଙ୍କ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶିତ ତଥ୍ଯରୁ ଜଣାଯାଇଥିଲା ଯେ ଉକ୍ତ ବିକ୍ରି ଅଭିଯୋଗ ସତ ନୁହେଁ ଓ ପୋଷ୍ୟସନ୍ତାନ ହିସାବରେ ଅଭିଯୁକ୍ତ ବାପମାଆ ତାକୁ ନେଇଥିଲେ । ଏତଦ୍ ବ୍ଯତୀତ କେତେକ ଅବୈଧ ଶିଶୁଙ୍କୁ ହସ୍ତାନ୍ତର କରାଯାଇଥିଲା ଓ କିଛି ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା । ତେବେ ଏଭଳି କାରବାରରେ ଛତିଶଗଡର ଜଣେ ମୁସଲମାନ ଅଜଣା ବ୍ଯକ୍ତି , ଦୁଇଜଣ ମାରୁଆଡି ବେପାରୀ , ଆଶା , ଧାଈ , ମେହେନ୍ତର ଇତ୍ୟାଦି ହାସପାତାଳର କର୍ମଚାରୀଙ୍କ ସହିତ କେତେକ ଟ୍ରେନରେ ଶିଶୁଟିକୁ ଧରି ରାଜ୍ୟ ବାହାରକୁ ଯାଉଥିବା ବେଳେ ଧରାପଡିଥିବା ଦଲାଲଙ୍କ ଭୂମିକା କ’ଣ ଥିଲା ; ତଦନ୍ତକାରୀ ପୁଲିସ ଜାଣନ୍ତି ! ଏହି ଉଦ୍ଧାର ଶିଶୁମାନଙ୍କୁ ବଲାଙ୍ଗୀର ପୋଷ୍ୟସନ୍ତାନ ଗ୍ରହଣ କେନ୍ଦ୍ର ବା ‘ ସା ‘ ରେ ରଖାଯାଉଥିଲା । ଆହୁରି ମଧ୍ଯ କେତେକ ଅନାଥ ଶିଶୁଙ୍କୁ ପ୍ରଶାସନ ବା ଜିଲ୍ଲାପାଳଙ୍କ ସମେତ ରାଜ୍ୟସରକାର ଓ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ରହିଥିବା ପରାମର୍ଶଦାତା କମିଟିର ସୁପାରିଶରେ ବିଦେଶକୁ ପୋଷ୍ୟସନ୍ତାନ ଭାବରେ ହସ୍ତାନ୍ତର କରାଯାଇଛି ।

ତେବେ ଗୁରୁତର ଅଭିଯୋଗ ଏହା ଯେ ବଲାଙ୍ଗୀର ସି ଡବ୍ଲୁସି ର ଜନୈକା ଆଇନଜୀବୀ ସଦସ୍ଯା ତତ୍କାଳୀନ ମହିଳା ଡିସିପିଓଙ୍କ ବିରୁଦ୍ଧରେ କେତେକ ସାମ୍ବାଦିକଙ୍କ ଆଗରେ ପ୍ରକାଶ କରିଥିଲେ ଯେ ଏଠାରୁ ବିଦେଶକୁ ଅନାଥ ଶିଶୁଙ୍କୁ ଚୋରାଚାଲାଣରେ ଉକ୍ତ ଅଧିକାରିଣୀ କାଳେ ବହୁ ଟଙ୍କା ଉପାର୍ଜନ କରୁଛନ୍ତି । ଏକଥା ଉକ୍ତ ଅଧିକାରିଣୀଙ୍କ ଦୃଷ୍ଟିକୁ ଅଣାଯିବାକୁ ସେ ଉତ୍ କ୍ଷିପ୍ତା ହୋଇଉଠି ସେଭଳି ଅଭିଯୋଗର ଦୃଢପ୍ରତିବାଦ କରିଥିଲେ । ଉକ୍ତ ଅଭିଯୋଗକାରିଣୀ ସେ କହିଥିବା ଏ ଅଭିଯୋଗକୁ କେତେକଙ୍କ ଆଗରେ ସ୍ବୀକାର କରି ନଥିଲେ ହେଁ , ପରବର୍ତ୍ତୀକାଳର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟର ଶିଶୁବିକ୍ରି ଘଟଣା ବେଳେ ପ୍ରଶାସନିକ ଅଧିକାରୀଙ୍କ ସମ୍ମୁଖରେ ପ୍ରକାରାନ୍ତରେ ଏଭଳି ଆନ୍ତର୍ଜାତିକ ଶିଶୁ ଚୋରାଚାଲାଣର ସନ୍ଦେହ ବ୍ୟକ୍ତ କରିଥିବା ପ୍ରକାଶ । ଏ ବିଷୟ ସେତେବେଳର ଗଣମାଧ୍ୟମରେ ମଧ୍ଯ ବାରମ୍ବାର ପ୍ରକାଶ ପାଇ ସରକାରଙ୍କ ଦୃଷ୍ଟିକୁ ଅଣାଯାଇଥିଲେ ହେଁ , କେହି ଗୁରୁତ୍ବ ଦେଇ ନ ଥିଲେ !
ଅପରତଃ ଶିଶୁ ସୁରକ୍ଷା , ପୋଷଣ , ଅନାଥ ଶିଶୁଙ୍କୁ ଉଦ୍ଧାର ସହ ସେମାନଙ୍କର ଯତ୍ନ, ପାଳନ ଏବଂ ତତ୍ତ୍ବାବଧାନ ସହ ସହାୟତା ଓ ବାଟଘାଟରେ ଶିଶୁଙ୍କୁ ନ ଫିଙ୍ଗିବା ଓ ନ.ଛାଡିଯିବା ସମ୍ପର୍କରେ ସଚେତନତା ସୃଷ୍ଟି ନିମନ୍ତେ ବଲାଙ୍ଗୀରରେ ପ୍ରାୟ ଅଢେଇ କୋଟି ଟଙ୍କାର ବ୍ୟୟ ହେଉଛି ବୋଲି ଜଣାଯାଏ । ତେବେ ଅଭିଯୋଗ ଅନୁଯାୟୀ କେତେ ଅର୍ଥ ବାଟମାରଣା ହୁଏ କି ନାହିଁ , ମା’ ସମଲେଇ ଜାଣନ୍ତି !
ସେହିପରି ଉକ୍ତ ଡିପିସିୟୁ , ସି ଡବ୍ଲୁସି ଓ ଚାଇଲ୍ଡ ଲାଇନ୍ ଇତ୍ୟାଦିରେ ନିଯୁକ୍ତ ବା ଥଇଥାନ ହେଉଥିବା ଅଧିକାରୀ ଓ ସଦସ୍ଯ/ ସଦସ୍ଯାମାନଙ୍କର ଯୋଗ୍ୟତା ପ୍ରତି ଜନସାଧାରଣଙ୍କର ସନ୍ଦେହ ରହିଛି । ଆଉଟ୍ ସୋର୍ସିଂରେ ନିଯୁକ୍ତି ପାଉଥିବା ଡିସିପିୟୁଙ୍କ ମାସିକ ବେତନ ମାତ୍ର ଚାଳିଶ ହଜାର ଟଙ୍କା । ଇତିମଧ୍ୟରେ ବଲାଙ୍ଗୀରରେ ଡିସିପିୟୁ ଥିବା ଲକ୍ଷ୍ମୀ ସିଂ ଅବ୍ୟାହତି ନେଇଛନ୍ତି ଓ ଜଣେ ମହିଳା ଅଧିକାରୀ ଅନୁପମା ପ୍ରଧାନ ଅତିରିକ୍ତ ଦାୟିତ୍ବରେ ଅଛନ୍ତି । ସେହିପରି ସିଡବ୍ଲୁସିର ସଭାପତି ଓ ଦୁଇଜଣ ସଦସ୍ଯ ବହିଷ୍କୃତ ହୋଇଥିବା ପ୍ରକାଶ ।
ତଦନୁରୂପେ ସୁବର୍ଣ୍ଣପୁର ଜିଲ୍ଲାରେ ଡିସିପିଓ ଅଛନ୍ତି ସେହି ଜିଲ୍ଲାର ଚତୁର୍ଭୁଜ ଦାସ । ବଲାଙ୍ଗୀର ଜିଲ୍ଲାରେ ଏତେ ଶିଶୁବିକ୍ରି ଅଭିଯୋଗ ହୋଇଥିଲେ ହେଁ , ଏହି ଜିଲ୍ଲାରେ ଗତ ୨୦୨୨ରୁ ଗୋଟିଏ ବି ସେଭଳି ଅଭିଯୋଗ ନାହିଁ ! ଏ ସମ୍ପର୍କରେ ବଲାଙ୍ଗୀର ଡିସିପିୟୂର ଜଣେ ଅଧିକାରୀଙ୍କ ଅନୁଯାୟୀ , ଘଟଣା ଘଟୁଥିବ । କିନ୍ତୁ ମାମଲାକୁ ନୋଟିସ୍ କୁ ଅଣାଯାଉ ନ ଥିବ !’ ପ୍ରାୟତଃ ଅଧିକାଂଶ ଦିନ ଓ ସମୟ ଅଫିସରେ ଅନୁପସ୍ଥିତ ରହୁଥିବା ଓ ବାରମ୍ବାର କଲ୍ କରିବା ସତ୍ତ୍ବେ ଫୋନ୍ ଉଠାଉ ନଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ସୁବର୍ଣ୍ଣପୁର ଡିସିପିଓଙ୍କ ବିରୁଦ୍ଧରେ ବହୁ ଅଭିଯୋଗ ଶୁଣାଯାଉଛି । ଏହି ଜିଲ୍ଲାର ଉପରୋକ୍ତ ଖର୍ଚ୍ଚ ମଧ୍ଯ ପ୍ରାୟ ବଲାଙ୍ଗୀର ଜିଲ୍ଲା ଏତିକି ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ ।
ଏଣୁ ଏହି ଦୁଇଜିଲ୍ଲାର ଡିସିପିୟୁ ଓ ସିଡବ୍ଲୁସିର କାର୍ଯ୍ୟକଳାପ , ଆର୍ଥିକ ବ୍ୟୟାଦି , ନିଯୁକ୍ତି , ବୈଠକର ଏବଂ ପୂର୍ବର ରାଜ୍ୟର ଓ କେନ୍ଦ୍ରର ବିଭିନ୍ନ ଯୋଜନା ସହିତ ‘ମିଶନ୍ ବାତ୍ସଲ୍ୟ ‘ ଆଦି ଯୋଜନାର ଏକ ଉଚ୍ଚସ୍ତରୀୟ ସମୀକ୍ଷା ସହିତ ଭିଜିଲାନ୍ସ ତଦନ୍ତ କରାଯିବାକୁ ଦାବି ହେଉଛି ।
କାରଣ ବିଭିନ୍ନ ତଥାକଥିତ କମିଟି ଓ ପ୍ରାଶାସନିକ ଅନୁମୋଦନ ଇତ୍ୟାଦି ସତ୍ତ୍ବେ ଏହି ଅସ୍ଥାୟୀ ଅଧିକାରୀଙ୍କ ଅଧୀନରେ ଅଭିଯୋଗ ଅନୁଯାୟୀ ଏହି ପରିମାଣର ସରକାରୀ ବ୍ୟୟ ଯୋଜନାର ବିଫଳତା ଏବଂ ଅଯୋଗ୍ୟ , ଅପାରଗ ଅଧିକାରୀଙ୍କ ଥଇଥାନ ଦୃଷ୍ଟିରୁ ପରେ କିପରି ଭରଣା ହେବ , ଅନିଶ୍ଚିତ ନୁହେଁ କି ବୋଲି ପ୍ରଶ୍ନ ଉଠିବା ସ୍ବାଭାବିକ୍ ।



“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।