ସାନଉଡେନ୍ କ୍ବାକ୍ ଚିକିତ୍ସା ଓ ବେଆଇନ କ୍ଲିନିକ୍ ସିଲ୍ !
ବଲାଙ୍ଗୀର : ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲା ଓ ଉପମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ କ୍ବାକ୍ ଚିକିତ୍ସା ବେଲଗାମ୍ ହୋଇଛି । ଏପରିକି ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଔଷଧଦୋକାନ ସିଲ୍ ଓ ନିଷେଧାଦେଶକୁ ବେଖାତିର୍ କରୁଛନ୍ତି ଏହି କ୍ବାକ୍ ମାନେ ! ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପାଟଣାଗଡ ଉପଖଣ୍ଡର ଖପ୍ରାଖୋଲ ଥାନାର ସାନଉଡେନ ଗ୍ରାମରେ ।
ଅଭିଯୋଗ ଅନୁଯାୟୀ , ଏହି ଗ୍ରାମରେ କୌଣସି ଚିକିତ୍ସାର ଯୋଗ୍ୟତା ବା ପ୍ରମାଣପତ୍ର ନ ଥାଇ ଏହି ଗ୍ରାମର ରାମ ମେହେର ଓ ତାଙ୍କ ପୁଅ ସୁରେନ୍ଦ୍ର ମେହେର ଏକ ବେଆଇନ ଔଷଧ ଦୋକାନ ଓ ଦୋକାନ ପଛରେ ଏକ ବେଆଇନ କ୍ଲିନିକ୍ ଖୋଲି ଖୋଲାଖୋଲି ବର୍ଷ ବର୍ଷ ଧରି ନିୟମିତ ଭାବରେ ଶହ ଶହ ରୋଗୀଙ୍କୁ ଚିକିତ୍ସା କରି ଆସୁଛନ୍ତି ଏବଂ ଏଥିରୁ ପ୍ରଚୁର ଅନ୍ୟାୟୋପାର୍ଜନ କରି ଆସୁଛନ୍ତି । ମଝିରେ ମଝିରେ ଅଭିଯୋଗ ପ୍ରକାଶ ପାଇଲେ , ସେମାନେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ପ୍ରଚୁର ଲାଞ୍ଚ ଦେଇ ସେମାନଙ୍କ ବିରୁଦ୍ଧରେ ଆଗତ କାର୍ଯ୍ୟାନୁଷ୍ଠାନକୁ ଚପାଇ ଦେବାରେ ସଫଳ ହେଉଛନ୍ତି ।
ଏବେ ତାଙ୍କର ଏଭଳି ବେଆଇନ ଔଷଧଦୋକାନ ଓ ବେଆଇନ ଚିକିତ୍ସା ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବଲାଙ୍ଗୀର ଜିଲ୍ଲା ମୁଖ୍ଯ ଚିକିତ୍ସାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଖପ୍ରାଖୋଲ ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଡା ସୂରଜ ଦୀପ ଗତ ୧୦ ତାରିଖରେ ଏହି ବେଆଇନ ଚିକିତ୍ସାଳୟ ଓ ଔଷଧଦୋକାନ ଉପରେ ଚଢାଉ କରି ଘଟଣାସ୍ଥଳରେ ସେମାନଙ୍କୁ ଧରିବା ସହିତ ସେଠାରୁ ସେମାନଙ୍କ ଦ୍ବାରା ବ୍ଯବହୃତ ସାଦାକାଗଜରେ ଲେଖା ଜାଲ୍ ପ୍ରେସ୍ କ୍ରିପ୍ ସନ୍ , ଇଞ୍ଜେକସନ୍ ସିରିଞ୍ଜ ଓ ଅନ୍ଯାନ୍ଯ ଔଷଧପତ୍ର ଜବତ କରିଆଣି ଏହି ଔଷଧ ଦୋକାନଟିକୁ ସିଲ୍ କରିଥିଲେ । ଏହା ସହିତ ସେଠାରେ ଚିକିତ୍ସା ନିମନ୍ତେ ଆସି ଟଙ୍କା ଦେଇ ଠକି ହେଉଥିବା ରୋଗୀଙ୍କ ଠାରୁ ବୟାନ ନେଇଥିଲେ । ସେମାନଙ୍କ ବିରୋଧରେ ସରକାରଙ୍କୁ ରିପୋର୍ଟ ଦିଆଯିବା ସହିତ ଥାନାରେ ଏତଲା ଦିଆଯିବ ବୋଲି କହିଥିବା ପ୍ରକାଶ ପାଇଥିଲା ।
କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଯେ , ଘଟଣାର ଏତେଦିନ ପରେ ବି ଥାନାକୁ ସେ ଏତଲା ଦେଲେ କି ନାହିଁ ଓ ଥାନାରେ ଏ ସମ୍ପର୍କିତ ମାମଲା ଋଜୁ ପୂର୍ବକ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାଗଲା ନାହିଁ । ସେହିପରି ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ମଧ୍ଯ ଆଉ କୌଣସିପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଜଣାଯାଇନାହିଁ । ଅପରତଃ ଏହି ଅଭିଯୁକ୍ତ କ୍ବାକ୍ ମାନେ ପଛପଟୁ ଦୋକାନ ଖୋଲି ପୂର୍ବବତ୍ ସେମାନଙ୍କର ବେଆଇନ ଚିକିତ୍ସା କରିଚାଲିଛନ୍ତି । ଅଧିକନ୍ତୁ ଉକ୍ତ ଚଢାଉ କରିଥିବା ଖପ୍ରାଖୋଲ ସ୍ବାସ୍ଥ୍ୟଅଧିକାରୀ ବା ଥାନାପୁଲିସ ବେଶ୍ ମୋଟା ରକମର ହାତଚିକ୍କଣ କରି ଉଦାସୀନ ରହୁଥିବା ଲୋକଙ୍କ ଅଭିଯୋଗରୁ ପ୍ରକାଶ ।
ତେବେ ଏହି ଅଞ୍ଚଳରେ ଏହା ଏକମାତ୍ର ବେଆଇନ କ୍ବାକ୍ ଚିକିତ୍ସା ବା ବେଆଇନ କ୍ଲିନିକ୍ ଧରାପଡିବା ଘଟଣା ନୁହେଁ । ବିଗତବର୍ଷ ଏହି ଖପ୍ରାଖୋଲ ବ୍ଲକର ନାନ୍ଦୁପଲା , ସାଲେପାଲି ଓ ବେନ୍ଦେରରୁ ବଙ୍ଗାଳୀ ଡାକ୍ତର ବା କ୍ବାକ୍ ମାନଙ୍କୁ ଗିରଫ କରାଯାଇଥିଲା । ଏବେ ବି ପାଟଣାଗଡ ଉପଖଣ୍ଡର ପାଟଣାଗଡ ସହରର ରାମପାଲି , ଲାଠୋର କଲେଜଛକ , ଲାଠୋର ଓ ଅନ୍ଯାନ୍ଯ ଗାଁ’ ଗାଁ’ରେ କ୍ବାକ୍ ବା ଠକବୈଦ୍ୟମାନଙ୍କର ପ୍ରାଦୁର୍ଭାବ ରହିଛି । ଜିଲ୍ଲାର ତୁଷରା , ବେଲଗାଁ’ , ସଇଁତଳା , ବଙ୍ଗୋମୁଣ୍ଡା , ମୁରିବାହାଲ, ଲୋଇସିଂହା , ଦେଓଗାଁ’ ତୁରେକେଲା , କଣ୍ଟାବାଞ୍ଜି , ବଡବାଙ୍କି ଓ ଅନ୍ଯାନ୍ଯ ଅଞ୍ଚଳରେ ଶତାଧିକ କ୍ବାକ୍ ଓ ବେଆଇନ କ୍ଲିନିକ୍ ଚାଲିଛି । ସବୁଠାରୁ ବିଡମ୍ବନାର ବିଷୟ ଯେ ସେଗୁଡିକ ଉପରେ ଉପରଠାଉରିଆ ଚଢାଉ ପରେ ସେହି ତଦନ୍ତକାରୀ ଅଧିକାରୀଙ୍କ ଠାରୁ ପୁଲିସ ଓ ମିଡିଆ ଟଙ୍କା ଖାଇ ସେମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି । ସାନଉଡେନ ଘଟଣାରେ ମଧ୍ଯ ପାଟଣାଗଡ, ଖପ୍ରାଖୋଲ ଓ ଅନ୍ଯାନ୍ଯ ସ୍ଥାନର କୁଜି ସାମ୍ବାଦିକମାନେ ହାତଚିକ୍କଣ କରିଥିବା ପ୍ରକାଶ । ତେବେ ସ୍ଥାନୀୟ ବିଧାୟକ ବନାମ ଉପମୁଖ୍ୟମନ୍ତ୍ରୀ ବା ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପ୍ରତିନିଧିଙ୍କର ଏହି ଖବର ଓ ତଥ୍ଯ କର୍ଣ୍ଣାଗୋଚର ହେଉଛି ନା ନାହିଁ , ଜଣାଯାଇନାହିଁ ! ଏ ସମ୍ପର୍କିତ ଆହୁରି ସବିଶେଷ ତଥ୍ଯ ଓ ଖବର ପରେ ପ୍ରକାଶ ପାଇବ ।



“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।