ଅପରାଧ

ଛତିଶଗଡରୁ ଆନ୍ଧ୍ରକୁ ଯାଉଥିବା ଚାଉଳ ଟ୍ରକ୍ ଦୁର୍ଘଟଣା

Email :

୭୦୦ ବସ୍ତା ବୋହିନେଲେ ଗାଁ’ ଲୋକେ

ମୁଖ୍ଯସଡ଼କ ଛାଡି ଗ୍ରାମ୍ୟରାସ୍ତାରେ ଯାଉଥିଲା କାହିଁକି ?

ବଲାଙ୍ଗୀର : ଦୁଇଦିନ ତଳେ ବଲାଙ୍ଗୀର ଜିଲ୍ଲାର ଦେଓଗାଁ’ ଥାନାନ୍ତର୍ଗତ ଭୁତିଆରବାହାଲ- ଶିବତଲା ବାଇପାସ୍ ଗ୍ରାମ୍ୟରାସ୍ତାର ରଜାମୁଣ୍ଡା ଗାଁ’ ନିକଟରେ ସକାଳୁ ପାଟଣାଗଡ ଆଡୁ ଆସୁଥିବା ଏକ ୧୬ ଚକିଆ ଟ୍ରକ ଓଲଟିପଡିବାରୁ ସେଥିରେ ଥିବା ୩୫ ଟନ୍ ୭୦୦ ବସ୍ତାଚାଉଳକୁ ଆଖପାଖ ଗ୍ରାମର ଲୋକେ ବୋହିନେଇଛନ୍ତି । ଗାଡିମାଲିକ ପହଞ୍ଚି ବନ୍ଧପଡା ଫାଣ୍ଡି ବନାମ ଦେଓଗାଁ’ ଥାନାରେ ଏତଲା ଦେଲାପରେ ପୁଲିସ ଏକ ମାମଲା ଋଜୁ କରି ରଜାମୁଣ୍ଡା ଓ ବ୍ରାହ୍ମଣୀଯୋର ଗାଁ’ରେ ମାଲିକ ସାଙ୍ଗରେ ଘର ଘର ବୁଲି ଚୋରିଚାଉଳ ଉଦ୍ଧାର କରୁଛି । ଗତ ୧୫ ତାରିଖ ଦିନ ଛତିଶଗଡର ଜାନଗିରି ଚାମ୍ପା ଜିଲ୍ଲାର ଅକଲତରପ ଠାରେ ଥିବା ଡି ଏଲ୍ କେଡିଆ ଏଣ୍ଡ୍ କୋଃ ରୁ ଏହି ୧୬ ଚକିଆ ଟ୍ରକ୍ ( ସିଜି୦୪ କ୍ୟୁଜି ୯୯୬୮ ନମ୍ବରରେ ବିଶାଖପାଟଣାର ଭିପିଏଲ୍ ଇନ୍ ଟେଗ୍ରାଲ୍ ସିଏଫ୍ ଏସ୍ ପିସିଟି ଲିଃକୁ ୧୦୦ବସ୍ତାରେ ୫୦ କୁଇଣ୍ଟାଲ୍ ବିଲ୍ ରେ ୭୦୦ ବସ୍ତାରେ ୩୫ ଟନ୍ ଚାଉଳ ଚୋରାଚାଲାଣ ହେଉଥିବା ପ୍ରକାଶ । ଅଦ୍ୟାବଧି ଅଳ୍ପକିଛି ଚାଉଳ ମିଳିଥିବା ପ୍ରକାଶ ।

ଆନ୍ତଃରାଜ୍ୟ ଚୋରାଚାଲାଣ ଅଭିଯୋଗ

ଗତକାଲି ସନ୍ଧ୍ୟାରେ ବନ୍ଧପଡା ଫାଣ୍ଡିରେ ଉକ୍ତ ଟ୍ରକ ମାଲିକଙ୍କୁ ଭେଟି ପଚାରିବାରୁ ଏହା ତାଙ୍କ ଟ୍ରେଡିଂ ବା କମ୍ପାନୀର ଚାଉଳ ଓ ଆଇନଗତ ଭାବରେ ସରେଇବାହାଲରୁ ବିଶାଖାପାଟଣାକୁ ପଠାଯାଉଥିବା କହିଥିଲେ । ତେବେ ଏହି ଟ୍ରକ ପାଟଣାଗଡରୁ ଏହି ଭିତିରିଆ ଗ୍ରାମ୍ୟରାସ୍ତାକୁ କିପରି ବାଛିଲା ଓ ଡ୍ରାଇଭର କାହିଁକି ଫେରାର୍ ହୋଇଗଲା ? ‘-ବୋଲି ପଚାରିବାରୁ ଉକ୍ତ ଦୁଇଜଣ ପଞ୍ଜାବୀ ମାଲିକ ସଫେଇ ଦେଇଥିଲେ ଯେ ପାଟଣାଗଡରୁ କଣ୍ଟାବାଞ୍ଜି ରାସ୍ତାରେ ପୋଲ ଭାଙ୍ଗିଥିବାରୁ ଡ୍ରାଇଭର ଏହିବାଟ ଦେଇ ଆସୁଥିଲା ଓ ଲୋକେ ରୁଣ୍ଡ ହୋଇ ତାକୁ ଦୁଇ ଥାପଡ ମାରିବାରୁ ଭୟରେ ପଳାଇ ଥିଲା । ଉଲ୍ଲେଖଯୋଗ୍ଯ ଯେ ଉକ୍ତ ରାସ୍ତାର କୌଣସିଠାରେ ପୋଲ ଭାଙ୍ଗି ନ ଥିଲା କିମ୍ବା ରାସ୍ତା ଖରାପ ନଥିଲା !

ଆହୁରି ମଧ୍ଯ , ଚାରିମାସ ତଳେ ଏହି ରାସ୍ତାଦେଇ ଯାଉଥିବା ୨ଟି ଧାନଟ୍ରକକୁ ଦେଓଗାଁ’ ଥାନାପୁଲିସ ଜବତ କରି ଧାନକୁ ଯୋଗାଣବିଭାଗ ତୁଷୁରାର ସମଲେଶ୍ବରୀ ରାଇସ୍ ମିଲ୍ କୁ ଜିମା ଦେଇଥିଲା । ଏକ ଟ୍ରକ୍ କୁ ଚୋରାଚାଲାଣ ସନ୍ଦେହରେ ଲୋକେ ଧରି ପୁଲିସ ଜିମା ଦେଇଥିଲେ ଓ ଉକ୍ତ ଧାନଭର୍ତ୍ତି ଟ୍ରକଟି ଅଦ୍ୟାବଧି ଦେଓଗାଁ’ ଥାନାରେ ଠିଆହୋଇଛି । ଚଳିତବର୍ଷର ରବିଋତୁରେ ଛତିଶଗଡରୁ ବଲାଙ୍ଗୀର, ସୁବର୍ଣ୍ଣପୁର , ନୂଆପଡା ଓ ବରଗଡ ଆଦି ଜିଲ୍ଲାକୁ ଟ୍ରକ ଟ୍ରକ୍ ଧାନ ଚୋରାଚାଲାଣ ହେଉଥିଲା ଓ ଲୋକଙ୍କ ଦ୍ବାରା ମଧ୍ଯ ଧରା ପଡିଥିଲା । ସରକାରୀ ସର୍ବନିମ୍ନ ଦରରେ ଓଡ଼ିଶା ଓ ଛତିଶଗଡ ମଧ୍ଯରେ ତାରତମ୍ୟ ଥିବାରୁ ଓ ବଲାଙ୍ଗୀର ଆଦି ଜିଲ୍ଲାର ଚାଉଳକଳ ଗୁଡିକ ଯୋଗାଣବିଭାଗ ସହିତ ମଧୁଚନ୍ଦ୍ରିକାରେ ବ୍ୟାପକ ଦୁର୍ନୀତିରେ ଲିପ୍ତ ରହିଥିବା ଅଭିଯୋଗ ହୋଇଆସୁଥିବାରୁ ଏହା ମଧ୍ଯ ଏକାଧିକ ଜାଲ୍ କାଗଜପତ୍ରରେ ଚୋରାଚାଲାଣ ବୋଲି ଅଭିଯୋଗ ପ୍ରକାଶ ପାଇଛି । ପୁଲିସ ପକ୍ଷରୁ ଏହି ଦୁର୍ଘଟଣାଗ୍ରସ୍ତ ଟ୍ରକର କାଗଜପତ୍ର ଠିକ୍ ଥିବା ଏସଡିପିଓ ସରୋଜ ଉପାଧ୍ୟାୟ ଗଣମାଧ୍ୟମକୁ କହିଥିବା ବେଳେ , ଏହା ପିଡିଏସ୍ ଚାଉଳ ହୋଇ ନ ଥିବାରୁ ଯୋଗାଣବିଭାଗକୁ ଜଣାଯାଇ ନ ଥିବା ପ୍ରକାଶ କରିଛନ୍ତି । ତେବେ ଏହା ବିଶ୍ୱାସଯୋଗ୍ୟ ନୁହେଁ ବୋଲି ଜନମତ ପ୍ରକାଶ ପାଉଛି ।

ପ୍ରକାଶଯୋଗ୍ୟ ଯେ ଏହି ରାସ୍ତାରେ ଦେଓଗାଁ’ , ତୁଷୁରା , ସଇଁତଳା , ବେଲଗାଁ’ ଓ କଳାହାଣ୍ଡି ଜିଲ୍ଲାର କେଡ଼ିଆ ମିଲ୍ ଗୁଡିକ ସହ ଅନେକ ଚାଉଳକଳ ଅବସ୍ଥିତ । ଏଣୁ ଏହି କୌଣସି ଚାଉଳକଳକୁ ଏହା ଚୋରାଚାଲାଣ ହେଉଥିବା ସନ୍ଦେହ ପ୍ରକାଶ ପାଇଛି । ଜରିବସ୍ତାରେ ଏହି ଚାଉଳ ରହିଥିଲା ଓ ତହିଁରେ ଉକ୍ତ କମ୍ପାନୀର ମୋହର ରହିଥିଲା । ତେବେ ଏତିକିରେ ଏହା ପିଡିଏସ ଚାଉଳ ନୁହେଁ ବୋଲି ବିନା ଯୋଗାଣବିଭାଗର ଯାଞ୍ଚରେ ପୁଲିସ କିପରି ଜାଣିଲା ବୋଲି ପ୍ରଶ୍ନ ଉଠିବା ସ୍ବାଭାବିକ୍ । ଅତୀତରେ ବେଲପଡା ପୁଲିସ ଏପରି ଏକ ଚାଉଳଟ୍ରକ କିଛିଦିନ ଥାନାରେ ଅଟକ ରଖି ଛାଡିଦେଇଥିଲା । ପାଟଣାଗଡ ଥାନାରେ ମଧ୍ଯ ଏପରି ଏକ ଚାଉଳ ଟ୍ରକକୁ ଥାନାକୁ ଆଣି ପରେ ଦଫାରଫା କରିଦିଆଯାଇଥିବା ଦେଖାଯାଇଥିଲା । ତେଣୁ ବସ୍ତା ବଦଳାଇ କିମ୍ବା ଅନ୍ଯ ଉପାୟରେ ସନ୍ଦେହ କରାଯାଉଥିବା ଏପରି ଚୋରାଚାଲାଣକୁ ସଠିକ୍ ତଦନ୍ତ କରାଯିବାକୁ ଲୋକଙ୍କ ପକ୍ଷରୁ ସରକାରଙ୍କ ଦୃଷ୍ଟିଆକର୍ଷଣ କରାଯାଇଛି । ଯୋଗାଣବିଭାଗ ତରଫରୁ ଚାଉଳକଳ ଗୁଡିକର ନିୟମିତ ଷ୍ଟକ୍ ତଦାରଖ କରାଯାଉ ନ ଥିବା ଅଥବା ଜାଣିଶୁଣି ମିଲର୍ସଙ୍କ ସହ ମଧୁଚନ୍ଦ୍ରିକା ଯୋଗୁଁ ବାରମ୍ବାର ଏପରି ଚୋରାଚାଲାଣ ଚାଲିଛି । ଦୁର୍ଘଟଣାରେ ଦୈବାତ୍ ଏହି ଧରାପଡିଥିବା ଚୋରାଚାଲାଣ ହେଉଥିବା ମାମଲାକୁ ପୁଲିସ ଓ ଯୋଗାଣବିଭାଗ ଚପାଇ ଦେବାକୁ ଉଦ୍ୟମ କରୁଥିବା ଲୋକଙ୍କ ମଧ୍ଯରେ ଚର୍ଚ୍ଚା ହେଉଛି । ଉଭୟ ଖରିଫ ଓ ରବି ଋତୁରେ ମଣ୍ଡିରୁ ନାମମାତ୍ର ଧାନ ଉଠାଇ ବଲାଙ୍ଗୀର, ସୁବର୍ଣ୍ଣପୁର, କଳାହାଣ୍ଡି , ନୂଆପଡାଦି ମିଲର୍ସମାନେ ଏଭଳି ଧାନଚାଉଳର ଆନ୍ତଃରାଜ୍ୟ ଚୋରାକାରବାରରେ କୋଟି କୋଟି ଟଙ୍କାର ମୁନାଫା ପାଉଥିବା ଓ ବିଭାଗୀୟ ମନ୍ତ୍ରୀଙ୍କ ଠାରୁ ପ୍ରଶାସନ ଏବଂ ବିଧାୟକ/ ସାଂସଦମାନେ ଏଥିରୁ ବଟି ଆଦାୟ କରୁଥିବା ଅଭିଯୋଗ ପ୍ରକାଶ ପାଇ ଆସୁଛି । ଏଣୁ ଲୋକଙ୍କର ଏହାର ଧରପଗଡ ବା ସଠିକ୍ ତଦନ୍ତ ଉପରେ ଆସ୍ଥା ନାହିଁ ।

Leave a Reply

Your email address will not be published. Required fields are marked *

Related Post