ଥାନାକୁ ମାମଲା ଗଲାନାହିଁ !
କାରଣ କ’ଣ ?
ଲୋଇସିଂହା : ତିନିଦିନ ତଳେ ବଲାଙ୍ଗୀର ଜିଲ୍ଲାର ଅନ୍ୟତମ ରାଜନୈତିକ ସମ୍ବେଦନଶୀଳ ବ୍ଲକ୍ ଲୋଇସିଂହା ବ୍ଲକର ଅଧ୍ୟକ୍ଷ ଓ ବିଡିଓଙ୍କ ମଧ୍ଯରେ ଖୋଲାଖୋଲି ଉଚ୍ଚସ୍ଵରରେ ବଚସା ସହିତ ହାତାହାତି ହେବା ଘଟଣା ଘଟିଯାଇଛି । ଗଣମାଧ୍ୟମରେ ପ୍ରକାଶ ପାଇ ଏହା ଚର୍ଚ୍ଚିତ ହୋଇପଡିଥିଲେ ହେଁ , ଉଭୟ ପକ୍ଷରୁ ଏ ସମ୍ପର୍କରେ ସ୍ଥାନୀୟ ଥାନାରେ ଏତଲା ଦିଆ ନଯିବା କୌତୁହଳ ସୃଷ୍ଟି କରିଛି ।
ପ୍ରକାଶ ଯେ , ଗତ ୧୪ ତାରିଖ ଦିନ ବ୍ଲକ୍ ଅଧ୍ୟକ୍ଷ ଯତୀନ୍ଦ୍ର କୁମାର ପଟେଲ ବ୍ଲକ ଅଫିସ୍ ରେ ପହଞ୍ଚି ଅଫିସ୍ ରେ ବିଡିଓ କିମ୍ବା ପ୍ରାୟ କୌଣସି ଷ୍ଟାଫ୍ ନ ଥିବା ଦେଖି ବିଡିଓ ପାଖର ସରପଞ୍ଚଙ୍କ ଭୋଜିଭାତ ଖାଇବାକୁ ଯାଇଥିବା ଜାଣିବାକୁ ପାଇଥିଲେ । ଏହି ସମୟରେ ବିଡିଓ ପହଞ୍ଚିବାରୁ ସେମାନଙ୍କ ମଧ୍ଯରେ ବାକ୍ ବିତଣ୍ଡା ହୋଇ ହାତାହାତି ହେବାପର୍ଯ୍ୟନ୍ତ କଥା ଯାଇଥିଲା । ଏହି ଘଟଣା ବ୍ଲକ୍ ର ଅନ୍ୟ କର୍ମଚାରୀମାନଙ୍କ ମଧ୍ଯରେ ଅସ୍ବାଭାବିକ ବାତାବରଣ ସୃଷ୍ଟି କରିଥିଲା ।
ଏ ସମ୍ପର୍କରେ ପଚାରିବାରୁ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ କ୍ଷୋଭପ୍ରକାଶ କରି କହିଛନ୍ତି ଯେ , ବିଡିଓ ପ୍ରାୟତଃ ମଦପିଇ ମନଇଚ୍ଛା ଅଫିସକୁ ଆସୁଛନ୍ତି । ଆହୁରିମଧ୍ୟ ସେ ଡାଇରେକ୍ଟ୍ ୫% ପିସି ନିଅନ୍ତି । ଜିପିଇଓରୁ ପଦୋନ୍ନତି ପାଇ ଏବିଡିଓ ଭାବରେ ଅବସ୍ଥାପିତ କିଶୋର ମାନସିଂ ,ଏଇ ସିଦ୍ଧାର୍ଥ ପାଢୀ , ୫ ଜଣ ଜେଇ ଓ ଅନ୍ୟ କର୍ମଚାରୀମାନଙ୍କର ଆଚରଣ ଭଲ ନୁହେଁ । କୌଣସି କର୍ମଚାରୀ ଲୋଇସିଂହାରେ ରହନ୍ତିନାହିଁ ଓ ବଲାଙ୍ଗୀରରୁ ଯାଆଆସ କରୁଛନ୍ତି । ଉକ୍ତ ବିଡିଓ ଏହାପୂର୍ବରୁ ବୌଦ୍ଧରେ ଅବସ୍ଥାପିତ ଥିଲାବେଳେ ବିବଦମାନ ହୋଇପଡିଥିଲେ ଓ ଏଠାରେ ମଧ୍ଯ ସେହିପରି ଆଚରଣ କରୁଛନ୍ତି । ସରକାର ବିଡିଓମାନଙ୍କର ଆର୍ଥିକକ୍ଷମତା ବୃଦ୍ଧି କରିବାରୁ ଆଉ ଲୋକପ୍ରତିନିଧିଙ୍କ କ୍ଷମତା ଆଗପରି ନାହିଁ।
ଅନ୍ୟପକ୍ଷରେ ବିଡିଓ ଅକ୍ଷପାଣି ଉଡୁ ତାଙ୍କ ସଫେଇରେ ପ୍ରକାଶ କରିଛନ୍ତି ଯେ , ସେ ଉକ୍ତଦିନ ଏକ ଜାତୀୟ କାର୍ଯ୍ୟକ୍ରମରେ ଯୋଗଦେବା ସହିତ ସ୍ଥାନୀୟ କଲେଜର ଏକ ଉତ୍ସବରେ ଯୋଗଦେଲା ପରେ ଫିଲ୍ ଡ ଭିଜିଟ୍ ରେ ଯାଇଥିଲେ । ସେଠାରେ ତାଙ୍କୁ ଦେଖି ଭୋଜିଭାତ କରୁଥିବା ସେଠାକାର ସରପଞ୍ଚ ଖାଇବାକୁ ଅନୁରୋଧ କରିବାରୁ ସେ ଖାଇଦେଇଥିଲେ । ବ୍ଲକ୍ ଅଫିସକୁ ଫେରିଲା ପରେ ଅଧ୍ୟକ୍ଷ ପାଟିତୁଣ୍ଡ କରୁଥିବା ଓ ତାଙ୍କ ସହ କଥା କଟାକଟି କରିଥିଲେ । ସେ ତାଙ୍କ କଲର୍ ଧରିପକାଇବାରୁ ସେ ମଧ୍ଯ ତାଙ୍କୁ ଧରି ପକାଇଥିଲେ । ବ୍ଲକର ସରକାରୀ କର୍ମଚାରୀମାନେ ଏଠାରେ ରହୁ ନଥିଲେ ହେଁ , ୧୦ ଟାରୁ ୫ ଟା ଠିକ୍ ସମୟରେ ଅଫିସ୍ ଆସି ଅଫିସ କାମ କରୁଛନ୍ତି । ଏ ସମ୍ପର୍କରେ ମାନବିକତା ଦୃଷ୍ଟିରୁ ସେ ଥାନାରେ ଏତଲା ଦେଇନାହାଁନ୍ତି । ‘
ତେବେ ଏହି ବିବାଦ ପଛରେ ମୁଖ୍ଯତଃ ବ୍ଲକର ଉନ୍ନୟନ ବନାମ ଠିକାକାମର ବିଲ୍ ହିଁ ମୁଖ୍ଯ କାରଣ ବୋଲି ଜଣାଯାଇଛି । ଅଧ୍ୟକ୍ଷ ନିର୍ବାଚନ ଲଢିବାବେଳୁ ଅଧ୍ୟକ୍ଷ ବିଭିନ୍ନ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ହାତଉଧାରୀ ଆଣି ସୁଝିନଥିବା ଓ ସେ ବିଜେଡିର ହୋଇଥିବାରୁ ନୂତନ ସରକାରଙ୍କ ସ୍ବାସ୍ଥ୍ୟମନ୍ତ୍ରୀ ଡା ମୁକେଶ ମହାଲିଙ୍ଗ ସ୍ଥାନୀୟ ବିଧାୟକ ହୋଇଥିବାରୁ ବିଡିଓ ତାଙ୍କୁ ଫେଭର୍ ଦେଖାଉ ନ ଥିବା କୁହାଯାଉଛି । ତେଣୁ ସମ୍ଭବତଃ ଅଧ୍ୟକ୍ଷ ନିରାଶ ହୋଇପଡିଥିବା ସହିତ ବିଡିଓ ତାଙ୍କୁ ଆର୍ଥିକ ଅନୁକମ୍ପା ଦେଖାଉ ନଥିବା କାରଣ ହୋଇପାରେ !
ଅପରତଃ ୨୦ ଟି ଗ୍ରାମପଞ୍ଚାୟତ ବିଶିଷ୍ଟ ଲୋଇସିଂହା ବ୍ଳକରେ ମନରେଗା ଠାରୁ ବିଭିନ୍ନ ସରକାରୀ ଯୋଜନାରେ ପୂର୍ବସରକାରଙ୍କ ଅମଳ ପରି ପିଆର ଆଇ ମେମ୍ବରଙ୍କ ହିଁ ସରକାରୀ କର୍ମଚାରୀଙ୍କ କାର୍ଯ୍ୟାଦେଶରେ ଠିକାକାମ କରି ଆସୁଛନ୍ତି । ନୂତନ ସରକାର ଆସିବା ପରେ ବିଜେପି ବନାମ ମନ୍ତ୍ରୀଙ୍କ ଲୋକମାନେ ଆସି ବିଡିଓଙ୍କ ପାଖରେ ବସୁଛନ୍ତି । ବିଡିଓ ମଧ୍ଯ ବିଜେପି ସରପଞ୍ଚଙ୍କ ସହ ଘନିଷ୍ଠତା ବଢାଇବା ବିଜେଡି ଅଧ୍ୟକ୍ଷଙ୍କ ଗାତ୍ରଦାହ କରୁଛି । ତେଣୁ କ୍ରମଶଃ ଏହି ଅସହିଷ୍ଣୁତା ଶେଷରେ ଏଭଳି ଖୋଲାବିଦ୍ରୋହର ରୂପ ନେଇଥିବା ଆଲୋଚନା ହେଉଛି । ଅତୀତରେ ଏହି ବ୍ଲକ୍ ରେ ଏଭଳି ଜନପ୍ରତିନିଧିଙ୍କ ମଧ୍ଯରେ ପୁଞ୍ଜିଭୂତ ଅସନ୍ତୋଷ ଅପରାଧ ଘଟିବା ପର୍ଯ୍ୟନ୍ତ ଯାଇଥିବାରୁ ଜିଲ୍ଲାପାଳ ଗଣମାଧ୍ୟମର ପ୍ରକାଶିତ ଉକ୍ତ ଅଧ୍ୟକ୍ଷ- ବିଡିଓ ହାତାହାତି ବିବାଦକୁ ତଥାକଥିତ ମାନବିକତାର ପରିସୀମାରୁ ବାହାର କରି ଥାନାରେ ଏତଲା ଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେବା ଉଚିତ୍ ବୋଲି ଲୋକେ ଦାବି କରିଛନ୍ତି । ସେହିପରି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀଙ୍କ ପକ୍ଷରୁ ମଧ୍ଯ ଏଥିପ୍ରତି ଧ୍ୟାନ ଦିଆଯିବାକୁ ତାଙ୍କର ଦୃଷ୍ଟିଆକର୍ଷଣ କରାଯାଉଛି । କାରଣ ବ୍ଲକର ଜଣେ ନିର୍ବାଚିତ ଲୋକପ୍ରତିନିଧି ଓ ପ୍ରାଶାସନିକ ଅଧିକାରୀଙ୍କ ମଧ୍ଯରେ ସରକାରୀ ଅଫିସ ମଧ୍ଯରେ ସର୍ବସମ୍ମୁଖରେ ଏତାଦୃଶ ଆଚରଣ କୌଣସି ଗେଲକଥା ଆଦୌ ନୁହେଁ !



“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।