ଅପରାଧ

ବାଲିବେପାର ବନାମ ଲଘୁ ଖଣିଜ ଦ୍ରବ୍ଯର ଚୋରାଚାଲାଣ !

Email :

ବଲାଙ୍ଗୀର : ଏବେ କେବଳ ବଲାଙ୍ଗୀର ଜିଲ୍ଲାରେ ନୁହେଁ , ସାରା ରାଜ୍ୟରେ ଚାଲିଛି , ବାଲିଚୋରି । ଏବେ ଏହାର ପରିଚାଳନା ଲଘୁ ଖଣିଜ ଦ୍ରବ୍ଯ ନାଁ’ ରେ ଖଣି ବିଭାଗ ଅଧୀନକୁ ଆସିଛି । ପୂର୍ବରୁ ଉପକୂଳ ଓଡିଶାରେ ବାଲିଘାଟ ନିଲାମ ବା ବେଆଇନ ବାଲିଚୋରାଚାଲାଣ ପାଇଁ ମାଫିଆଙ୍କ ଉପଦ୍ରବ ଖବର ଜରିଆରେ କାନ ଶୁଣୁଥିଲା । କିଛିଦିନ ତଳେ ବ୍ରହ୍ମପୁର ର ଓକିଲ ହତ୍ୟାକାଣ୍ଡ ( ସମ୍ପୂର୍ଣ୍ଣ ତଦନ୍ତରିପୋର୍ଟ ପ୍ରକାଶ ପାଇ ନଥିଲେ ବି )ର ଏକ ପ୍ରମୁଖକାରଣ ଏଇ ବେଆଇନ ରାଜନୈତିକ ବାଲିବେପାର ବୋଲି ଚର୍ଚ୍ଚା ହେଉଛି । ଆମ ଜିଲ୍ଲାରେ ବି ବାଲି ଚୋରାଚାଲାଣରେ ମାଫିଆଙ୍କ ଅନୁପ୍ରବେଶ ଘଟିଲାଣି । ଚନ୍ଦନଭାଟି ସୁକତେଲରୁ ଟିକ୍ରାପଡା ଜଙ୍ଗଲର ନଦୀନାଳା ଓ ତୁଷରା-ଅର୍ଜୁନପୁର ତେଲନଦୀର ଘାଟ/ ଅଘାଟ ପର୍ଯ୍ୟନ୍ତ ବ୍ୟାପି ଗଲାଣି । କେବଳ ବଡ ବଡ ନଈରୁ ନୁହେଁ , ସଂରକ୍ଷିତ ଜଙ୍ଗଲର ନାଳା ଓ ଅନ୍ଯାନ୍ଯ ଛୋଟମୋଟ ଜଳସ୍ରୋତର ବାଲି ବି ଚୋରିହେଉଛି । ଏହାକୁ ଧରପଗଡ ଆଳରେ ପରିବହନ କରୁଥିବା ଟ୍ରାକ୍ଟର/ ଡମ୍ଫର ଆଦି ଧରି ତହସିଲଦାର, ଆର ଆଇ , ପୁଲିସ, କେତେକସ୍ଥଳେ କୁଜିସାମ୍ବାଦିକ ବା ବନାଧିକାରୀମାନେ ବି ବେଶ୍ ହାତଚିକ୍କଣ କରୁଥିବା ଅଭିଯୋଗ ଶୁଣାଯାଉଛି । ମୁଖ୍ଯତଃ ପକ୍କାଘର ନିର୍ମାଣ ଓ ସରକାରୀ ଠିକାରେ ପୋଲ , ଘର , ରାସ୍ତାର ନିର୍ମାଣରେ ବ୍ୟବହୃତ ବହୁଳଚାହିଦା ପାଇଁ ଏସବୁ ବାଲିଚୋରାଚାଲାଣ ହେଉଛି । ସହରରେ ବାଲିର ଦର ବି ଆକାଶଛୁଆଁ !

ତେଣୁ ବାଲିଘାଟ ବା ସୈରାତ୍ ନିଲାମରୁ ଚୋରାଚାଲାଣ ଓ ଗଦା କରି ବାଲିବେପାର ଏବର ଏକ ମୁଖ୍ଯ ଅବୈଧ ବେପାରରେ ପରିଣତ ହୋଇ ରାଜନୀତି ଓ ଅପରାଧର ମାଧ୍ୟମ ବି ପାଲଟିଗଲାଣି ।

ମନେପଡେ , ଏକଦା ତତ୍କାଳୀନ ମୁଖ୍ଯମନ୍ତ୍ରୀ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ଗସ୍ତ ବେଳେ ଜଣେ ସାମ୍ବାଦିକଙ୍କ ପ୍ରଶ୍ନରେ ‘ ସବୁ ନଈବାଲି ନେଇଯାଅ ‘ ବୋଲି କଥାଛଳରେ କହିଥିଲେ । ସେତେବେଳେ ଏଇ ନଈବାଲିର ଏତେ ମୂଲ୍ୟ ଓ ଚାହିଦା ବୋଲି ଆମର ଧାରଣା ନ ଥିଲା ! ଏବେ ସେ କଥାଟି ବି ସତହେବାକୁ ଯାଉଛି , ‘ ବସି ଖାଇଲେ , ନଈବାଲି ସରେ ! ‘

ସଦ୍ୟତମ ଘଟଣାନୁଯାୟୀ , ଏବେ ପିପିଲିରେ ଜନୈକା ସାମ୍ବାଦିକା ଶୀଲା ରାସ୍ତାରେ ବାଲିଚୋରାଚାଲାଣର ବାଲି ପଡିଥିବାରୁ ଦୁର୍ଘଟଣାରେ ଜୀବନ ଚାଲିଯିବା ସମସ୍ତ ବୁଦ୍ଧିଜୀବୀ ତଥା ତୁଙ୍ଗ ରାଜନୈତିକ ବ୍ୟକ୍ତିବିଶେଷଙ୍କ ମଧ୍ଯରେ ଆଲୋଡନ ସୃଷ୍ଟି କରିଦେଇଛି ।

Leave a Reply

Your email address will not be published. Required fields are marked *

Related Post