ସୋନପୁର : ଗତ ୧ ତାରିଖର ସୋନପୁରକୁ ମୁଖ୍ଯମନ୍ତ୍ରୀଙ୍କ ଗସ୍ତବେଳେ ଆୟୋଜିତ ସାଧାରଣ ସଭାରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ ନୃପରାଜ ସାହୁ ତାଙ୍କ ଭାଷଣରେ ଯେଉଁଭଳି ଭାବରେ ବିଗତ ବିଜେଡି ସରକାରର ସୁପ୍ରିମୋ ତଥା ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଚରଣ ପ୍ରତି ‘ ଟଚ୍ ମି ନଟ୍ ……’ ଇତ୍ୟାଦି ଦୁଃସାହସିକ ଖୋଲାଖୋଲି ଆକ୍ଷେପମୂଳକ ସମାଲୋଚନା ଓ ଏ ସରକାରଙ୍କ ସେହି ପରମ୍ପରାର ମୂଳୋତ୍ପାଟନ କଲେ ‘ ବୋଲି ପ୍ରକାଶ କଲେ , ତାହା ଜଣେ ଜିଲ୍ଲାର ପ୍ରାଶାସନିକ ମୁଖ୍ଯ ବନାମ ଜିଲ୍ଲାପାଳ ହିସାବରେ କେତେ ସ୍ପୃହଣୀୟ , ସେକଥା ଲୋକେ ବିଚାର କରିବେ । ଯଦିଓ ବିଜେଡି ପକ୍ଷରୁ ଦଳୀୟ ଫୋରମରେ ଏହାର ନିନ୍ଦା କରାଯାଇଛି , ତଥାପି ଜିଲ୍ଲାର ପୂର୍ବତନ ବରିଷ୍ଠ ମନ୍ତ୍ରୀ ତଥା ସୋନପୁର ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ ଏ ସମ୍ପର୍କରେ ନିରାପଦ ଦୂରତା ବଜାୟ ରଖି ନୀରବତା ଅବଲମ୍ବନ କରିଛନ୍ତି । ତେବେ ଜିଲ୍ଲାପାଳଙ୍କର ମୁଖ୍ଯମନ୍ତ୍ରୀଙ୍କ ଉପସ୍ଥିତିରେ ତାଙ୍କର ଏତାଦୃଶ ଚାପଲୁସିର କାରଣ ବୁଝିବାରେ ବେଶି କିଛି ଅବୋଧ୍ୟତା ରହିନାହିଁ । ଜନସାଧାରଣଙ୍କ ଚର୍ଚ୍ଚାରୁ ପ୍ରକାଶ ଯେ ଆଗାମୀ ଅଗଷ୍ଟରେ ଆଉ ମାତ୍ର ଚାରିମାସ ପରେ ନୃପରାଜ ଅବସର ଗ୍ରହଣ କଲାପରେ ଭାଜପାରେ ମିଶିବେ ଓ ତାଙ୍କ ବିଧାନସଭା ନିର୍ବାଚନ ମଣ୍ଡଳୀ ନର୍ଲାର ଆସନ ପାଇଁ ଦଳୀୟ ଟିକେଟ ପାଇଁ ଇଏ ଏକ ଅଗ୍ରୀମ ଲବି ଛଡା ଆଉକିଛି ନୁହେଁ । ଯଦିଓ ସୁବର୍ଣ୍ଣପୁର ଜିଲ୍ଲାର ଇତିହାସରେ ସରକାରୀ ପ୍ରଶାସକମାନେ ଅବସର ପରେ ଏଭଳି ରାଜନୈତିକ ଉଚ୍ଚାକାଂକ୍ଷା ପୋଷଣ କରିବା ନୂଆକଥା ନୁହେଁ ! ଗତଥର ସୁବର୍ଣ୍ଣପୁର ଜିଲ୍ଲା କୃଷି ଅଧିକାରୀ ଅମରେଶ ମିଶ୍ର ମଧ୍ଯ ସୋନପୁର ବିଧାୟକ ପ୍ରାର୍ଥୀ ଭାବରେ ଠିଆହେଇ ମାଠିଆ ଫଟାଇ ଥିଲେ । ଏମନ୍ତ ଦମ୍ଭ ଏ ସୁବର୍ଣ୍ଣପୁର ମାଟିର !
ଏଠାରେ ଜିଲ୍ଲାପାଳ ଭାବରେ ଯୋଗଦେଲା ପରଠୁଁ ଏଇ ଉଚ୍ଚାକାଂକ୍ଷୀ ପଦୋନ୍ନତ ପଶ୍ଚିମା ଭୂମିପୁତ୍ରଙ୍କର ବିଭିନ୍ନ ଉଦାହରଣ ସୃଷ୍ଟିକାରୀ ଜନସେବାର ଦୃଷ୍ଟ୍ବାନ୍ତ ଲକ୍ଷ୍ୟ କରାଯାଇ ଆସୁଛି । ତେବେ ତାଙ୍କର ଏପରି ତେଲମାଲିସ୍ କେତେଦୂର ଭବିଷ୍ୟତରେ ଫଳପ୍ରଦ ହେବ , ଦେଖିବାକୁ ବାକି ରହିଲା ବୋଲି ଲୋକେ କହୁଛନ୍ତି ?


“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।