
କାହିଁକି ଉଠାଯାଉନି କଷ୍ଟମମିଲିଂ ଚାଉଳ ?
ସୋନପୁର : ଗତ ପ୍ରାୟ ମାସେ ହେଲା ସୁବର୍ଣ୍ଣପୁର ଜିଲ୍ଲାର ରାଇସ୍ ମିଲ୍ ଗୁଡିକରୁ ସରକାର କଷ୍ଟମ୍ ମିଲିଂ ଚାଉଳ ଉଠାଉ ନାହାଁନ୍ତି । ଫଳରେ ମିଲ୍ ର ଗୋଦାମ ଜାମ୍ ହୋଇ ଯାଇଛି । କୁହାଯାଉଛି ଏସବୁ ଗତ ରବିଧାନର କୋଟା । ଏହା ଉଠା ନଗଲେ ଚଳିତବର୍ଷର ଖରିଫ ଚାଉଳ ପାଇଁ ରଖିବାକୁ ଜାଗା ନାହିଁ । ଏଫସି ଆଇ ଏହା ନ ଉଠାଇବାରୁ ବହୁତ ସମସ୍ୟା ସୃଷ୍ଟି ହୋଇଛି । ଜିଲ୍ଲାର ଶହ ଶହ ଶ୍ରମିକ, ଚାଷୀଙ୍କ ସମେତ ମିଲର୍ସଙ୍କର ବହୁତ କ୍ଷତି ହେଲାଣି । ସମଗ୍ର ଦେଶରେ ଏପରି ବଳକା ଚାଉଳ ଜାମ୍ ହୋଇ ରହିଥିବାରୁ ଏଠାରେ ମଧ୍ଯ ତାହାର ପ୍ରଭାବ ପଡୁଥିବା କୁହାଯାଉ ଥିଲେ ହେଁ , ପ୍ରକୃତ ସ୍ଥିତି ଭିନ୍ନ ବୋଲି ଜଣାଯାଇଛି ।
ଏଣୁ ଏହାର ସମାଧାନ ପାଇଁ ଗତ ୨୫ ତାରିଖରେ ସୁବର୍ଣ୍ଣପୁର ମିଲର୍ସ ଆସୋସିଏସନ ପକ୍ଷରୁ ଏକ ପ୍ରତିନିଧିଦଳ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲାପାଳ ଡ ନୃପରାଜ ସାହୁ ଖୁବ୍ ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ପ୍ରକାଶ।
ଏ ସମ୍ପର୍କରେ ଆମ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ସୁବର୍ଣ୍ଣପୁର ଜିଲ୍ଲାର କେତେକ ମିଲ୍ କୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବା ସହିତ କେନ୍ଦ୍ରୀୟ ପଣ୍ୟାଗାର ନିଗମର ସୋନପୁର ଗୋଦାମରେ ଅନୁସନ୍ଧାନ କରିଥିଲେ । ସେଥିରୁ ଜଣାପଡିଛି ଯେ ସୋନପୁର-ଶରଧାପାଲି ରାସ୍ତାର କଳାପଥର ଛକର ଏଫସିଆଇ ଗୋଦାମର କ୍ଷମତା ୪ ହଜାର ମେଟ୍ରିକ୍ ଟନ୍ ଥିଲାବେଳେ ଏଠାରେ ଏବେ ୨ ହଜାର ମେଟ୍ରିକ୍ ଟନ୍ ଜାଗା ଖାଲି ରହିଛି । ତେବେ ଏଫଆରକେ ଓ ଅନ୍ଯାନ୍ଯ କେତେକ ବୈଷୟିକ ସମସ୍ୟା ଏବଂ କାରଣ ଯୋଗୁଁ ଟିଟିଲାଗଡ ଏଫସିଆଇ ପରିଚାଳକ ବା ଡି ଏମ୍ ଚାଉଳ ଉଠାଇବାକୁ ଅନୁମତି ଦେଉନାହାଁନ୍ତି ।
ଜିଲ୍ଲାରେ ୨୦୨୫-୨୬ ବର୍ଷ ପାଇଁ ଖରିଫ ଚାଉଳ ଯୋଗାଣ ପୁନଃଆରମ୍ଭ ହେବାକଥା । କିନ୍ତୁ ଗତ ୨ ତାରିଖରୁ ତାହା ବନ୍ଦ ରହିଛି । ରାଜ୍ୟସ୍ତରରେ ପ୍ରୁଡେଣ୍ଟ ପ୍ଲାନ୍ କମିଟି ବୈଠକ ଗତ ୨୦ ତାରିଖରେ ହୋଇଥିଲା । ଯେଉଁଥିରେ ଏହାର ବିତରଣ ପୂର୍ବରୁ ମିଲର୍ସମାନେ ଏମ୍ ଡି ଙ୍କୁ ଭେଟିଥିଲେ ହେଁ , ସୁଫଳ ମିଳିଲାନାହିଁ ।
ତେଣୁ ଜିଲ୍ଲାର ମିଲର୍ସମାନେ ଜିଲ୍ଲାପାଳଙ୍କୁ ଭେଟି ତାଙ୍କ ଜରିଆରେ ସରକାରଙ୍କୁ ଏକ ଦାବିପତ୍ର ଦେଇଛନ୍ତି । ସପ୍ତାହେ ମଧ୍ଯରେ ସି ଏମଆଇ ବିତରଣ ଆରମ୍ଭ ନହେଲେ ଧାରଣାରେ ବସିବେ ବୋଲି ସଂଘ ଚେତାବନୀ ଦେଇଛି । ଜିଲ୍ଲାର ୫୪ ଟି ମିଲ୍ ର ୫ ହଜାରରୁ ଉର୍ଦ୍ଧ୍ବ ଶ୍ରମିକଙ୍କ ହାତ ବନ୍ଦ ହୋଇଯାଇଛି । ଏହା ସହିତ ମିଲ୍ ଉପରେ ବ୍ୟାଙ୍କର ଋଣଭାର ରହିଛି । ଅନ୍ୟ ରାଜ୍ୟର ଜିଲ୍ଲାରେ ଏହି ଟାର୍ଗେଟ୍ ଦିଆଯାଉଥିଲେ ହେଁ , ସୁବର୍ଣ୍ଣପୁର ଜିଲ୍ଲାର ଟାର୍ଗେଟ୍ ଦିଆଯାଇନାହିଁ ।
ଚଳିତ ଖରିଫ ଋତୁରେ ଜିଲ୍ଲାରେ ୩୭ ଲକ୍ଷ ୭୬ ହଜାର କୁଇଣ୍ଟାଲ୍ ଧାନ କିଣାଯାଇଛି । ଏଥିରେ ମିଲର୍ସଙ୍କ ଠାରୁ ୪ ଲକ୍ଷ ୪୫ ହଜାର କୁଇଣ୍ଟାଲ୍ ଚାଉଳ ଦେବେ । ପୁନଶ୍ଚ କିଛିମାସ ପରେ ରବି ଋତୁ ଆରମ୍ଭ ହୋଇଯିବ ଓ ପ୍ରାୟ ୨୬ ଲକ୍ଷ କୁଇଣ୍ଟାଲ୍ ଧାନ କିଣାଯିବ । ଅଥଚ ମିଲ୍ ରେ ଆଉ ଜାଗା ନାହିଁ ।
ସେ ଯାହାହେଉ ନା କାହିଁକି , ସରକାର ପଶ୍ଚିମଓଡିଶାର ଏହି ହୀରାକୁଦ ଜଳସେଚିତ ନିମ୍ନାଞ୍ଚଳ କମାଣ୍ଡ ଏରିଆର ଡୁଙ୍ଗୁରିପାଲି , ବିନିକା , ସୋନପୁର ଓ ଜିଲ୍ଲାର ଚାଷୀ , କୃଷିଶ୍ରମିକ ଓ କୃଷିଭିତ୍ତିକ ଶିଳ୍ପ ଚାଉଳକଳ ମାଲିକଙ୍କ ଉପୁଜିଥିବା ଉକ୍ତ ସମସ୍ୟାର ଶୀଘ୍ର ସମାଧାନ କରାଯିବାକୁ ଦାବି କରାଯାଇଛି ।


“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।
