ଓଭରଡୋଜ୍ ନିଶ୍ଚେତକରେ ପ୍ରାଣହାନୀ ?
ଘଣ୍ଟ ଘୋଡାଉଛନ୍ତି ସିଡିଏମଓ : ପୁଲିସ କାର୍ଯ୍ୟାନୁଷ୍ଠାନ ବିଳମ୍ବ !
ସୋନପୁର : ଗତ ୨୦ ତାରିଖ ଦିନ ସୋନପୁର ସହରର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ଏକ ଘରୋଇ ନର୍ସିଂହୋମ୍ ‘ଆଶା ନର୍ସିଂହୋମ୍ ‘ ରେ ଜଣେ ସରକାରୀ ବିଶେଷଜ୍ଞ ଡାକ୍ତରଙ୍କ ଚରମ ଦାୟିତ୍ବହୀନତା ଫଳରେ ଜଣେ ଗୋଡଭଙ୍ଗା ଯୁବରୋଗୀଙ୍କୁ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରୁ ପଠାଯାଇ ଅସ୍ତ୍ରୋପଚାର ପୂର୍ବରୁ ଓଭରଡୋଜ୍ ନିଶ୍ଚେତକ ଦିଆଯାଇ ମାରି ଦିଆଯାଇଥିବା ସୋନପୁର ଥାନାରେ ଏତଲାକ୍ରମେ ମାମଲା ଋଜୁ ହୋଇଛି । ଜିଲ୍ଲାପାଳଙ୍କ ତନାଘନା ସତ୍ତ୍ବେ ଉକ୍ତ ବିବାଦୀୟ ତଥାକଥିତ ନର୍ସିଂହୋମ୍ ଟିକୁ ତଥାପି ସିଲ୍ କରାଯାଇ ନଥିବା ଓ ମାମଲାର ଅଭିଯୁକ୍ତ ରହିଥିବା ଉକ୍ତ ବିଶେଷଜ୍ଞ ଡାକ୍ତର, ସ୍ବାସ୍ଥ୍ୟକର୍ମଚାରୀ ଓ ନର୍ସିଂହୋମ୍ ମାଲିକଙ୍କୁ ଅଦ୍ୟାବଧି ଗିରଫ କରା ନଯାଇ ମାମଲାଟିକୁ ଦଫାରଫା କରିଦିଆଯିବାକୁ ମସୁଧା ଚାଲିଥିବା ସନ୍ଦେହ ପ୍ରକାଶ ପାଇଛି । ଆଶ୍ଚର୍ଯ୍ୟର କଥା ଯେ , ଅଭିଯୁକ୍ତ ଡାକ୍ତର ଓ ନର୍ସିଂହୋମ୍ ମାଲିକ ନର୍ସିଂହୋମ୍ ରେ ତାଲା ମାରି ଫେରାର୍ ହୋଇଯାଇଥିବା ବେଳେ ଖୋଦ୍ ସିଡିଏମଓ ଅଭିଯୁକ୍ତ ଡାକ୍ତରଙ୍କ ସପକ୍ଷରେ ଗଣମାଧ୍ୟମରେ ଘଣ୍ଟ ଘୋଡାଉଥିବା ଦେଖାଯାଇଛି ।
ସରକାରୀ ଡାକ୍ତରଙ୍କ ଘରୋଇ ନର୍ସିଂହୋମ୍ ଚିକିତ୍ସା
ପ୍ରକାଶ ଯେ , ଗତ ୨୦ ତାରିଖରେ ତରଭାର ମହାବୀର ଅଗ୍ରବାଲ ( ୪୩ ) ବୀରମହାରାଜପୁର ପଣ୍ଡାପାଲି ସ୍ଥିତ ନେତ୍ର ନିକେତନରୁ ଚକ୍ଷୁ ପରୀକ୍ଷା କରାଇ ବାଇକ୍ ରେ ଫେରୁଥିବା ବେଳେ ସ୍ଥାନୀୟ ବୁଢ଼ାରଜା ଛକଠାରେ ଏକ ବୋଲେରୋ ପିକ ଅପ୍ ଭ୍ଯାନ୍ ଧକ୍କାରେ ତାଙ୍କର ଡାହାଣଗୋଡର ଜଙ୍ଘର ହାଡ ଭାଙ୍ଗି ଯାଇଥିଲା । ସ୍ଥାନୀୟ ଲୋକେ ତାଙ୍କୁ ନେଇ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ହାଡ ନେଲିଂ ଚିକିତ୍ସାର ସୁବିଧା ନ ଥିବା କହି ସେଠାକାର ଅସ୍ଥିଶଲ୍ୟ ବିଶେଷଜ୍ଞ ଡା କୃତ୍ତିବାସ ସୁବୁଦ୍ଧି ତାଙ୍କୁ ସୋନପୁରର ‘ ଆଶା ନର୍ସିଂ ହୋମ୍ ‘ କୁ ପଠାଇ ସେଠାରେ ପହଞ୍ଚିଯାଇ ଚିକିତ୍ସା ନିମନ୍ତେ ସେଠାରେ ୩୫ ହଜାର ଟଙ୍କା ଜମା କରାଇ ଅପରେସନ ରୁମ୍ କୁ ନେଇଥିଲେ । ସେଠାରେ ନିଶ୍ଚେତକ ଡାକ୍ତର ସମ୍ବିତ୍ ମହାନ୍ତି ତାଙ୍କ ଗୋଡରେ ନିଶ୍ଚେତକ ଇଞ୍ଜେକସନ୍ ଦେଇଥିବା ଓ ତା’ପରେ ତାଙ୍କର ଚେତା ନ ଫେରିବାରୁ ଡା ସୁବୁଦ୍ଧି ତାଙ୍କ ପରିବାର ଲୋକଙ୍କୁ ୩/ ୪ ଘଣ୍ଟା ପରେ ଚେତା ଫେରିବ କହି ସଙ୍ଗେ ସଙ୍ଗେ ରକ୍ତ ଦରକାର ଓ ପୁଣି ତାଙ୍କୁ ଅନ୍ୟତ୍ର ଆଇସିୟୁକୁ ନେଇଯାଅ କହି ଆମ୍ବୁଲାନ୍ସ ଡକାଇ ତରତର ହୋଇ ବଲାଙ୍ଗୀରକୁ ପଠାଇ ଦେଇଥିଲେ । କିନ୍ତୁ ତାଙ୍କ ଘରଲୋକେ ପହଞ୍ଚିଯାଇ ବଇରାସର ଠାରେ ଦେଖିଲାବେଳକୁ ତାଙ୍କର ବାଟରେ ମୃତ୍ୟୁ ହୋଇ ସାରିଥିବା ଜଣା ପଡିଥିଲା ।
ଏହି ଘଟଣା ଚର୍ଚ୍ଚିତ ହୋଇ ପଡିବା ପରେ ଜିଲ୍ଲାପାଳ ଡା ନୃପରାଜ ସାହୁ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ଓ ଉକ୍ତ ନର୍ସିଂହୋମ୍ ରେ ପହଞ୍ଚି ଅନୁଧ୍ୟାନ ପରେ ସିଡିଏମଓ ଓ ଅନ୍ଯାନ୍ଯ ଚିକିତ୍ସାଧିକାରୀଙ୍କ ସହ ପରାମର୍ଶ କରି ଏକ ତଦନ୍ତ ଟିମ୍ ଗଠନ ପୂର୍ବକ ଉପଯୁକ୍ତ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏହି ଚିକିତ୍ସାରେ ଅବହେଳା ଓ ଦାୟିତ୍ବହୀନତା ଅଭିଯୋଗ କରି ମୃତକଙ୍କ ବଡଭାଇ ସୁଦର୍ଶନ ଅଗ୍ରବାଲ ସୋନପୁର ଥାନାରେ ଏକ ଏତଲା ଦେବା କ୍ରମେ ଏକ ମାମଲା ଋଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି । ଭୟରେ ନର୍ସିଂହୋମ୍ ମାଲିକ ନର୍ସିଂହୋମ୍ ରେ ତାଲା ପକାଇ ଫେରାର୍ ହୋଇଯାଇଥିବା ସହ ଡା ସୁବୁଦ୍ଧି ଛୁଟିନେଇ ପଳାଇଥିବା ପ୍ରକାଶ । ଏହି ଘଟଣା ଚର୍ଚ୍ଚିତ ହୋଇପଡିଛି । ପୂର୍ବରୁ ମଧ୍ଯ ଏହି ନର୍ସିଂହୋମ୍ ରେ ଏଭଳି ଚିକିତ୍ସା ଅବହେଳାରୁ ଏକାଧିକ ରୋଗୀଙ୍କର ପ୍ରାଣହାନୀ ଘଟିଥିବା ପ୍ରକାଶ । ପ୍ରାୟ ଦେଢବର୍ଷ ତଳେ ବିନିକା ଅଞ୍ଚଳର ସିନ୍ଦୁରପୁରର ଜନୈକା ପ୍ରସୂତୀମହିଳାଙ୍କର ମୃତ୍ୟୁ ନିମନ୍ତେ ଏହି ନର୍ସିଂହୋମ୍ ବିରୁଦ୍ଧରେ ଲୋକେ ଆନ୍ଦୋଳନ କରିଥିଲେ । ଏହାର ଏକାଧିକ ମାଲିକ ବଦଳିଛନ୍ତି । ଏବେ ନର୍ସିଂହୋମ୍ ସାମ୍ନାରେ ରହୁଥିବା କଣ୍ଟାମାଳ ଅଞ୍ଚଳର ଜଣେ ଯୁବଠିକାଦାର ଏହା ଚଳାଉଥିବା ଓ ଏହି ନର୍ସିଂହୋମ୍ ରେ ଅର୍ଥ ଲୋଭରେ ସରକାରୀ ଡାକ୍ତରମାନେ ଆସି ଚିକିତ୍ସା କରୁଥିବା ପ୍ରକାଶ ।
ସବୁଠାରୁ କ୍ଷୋଭର ବିଷୟ ଯେ ଏହି ଚିକିତ୍ସାଜନିତ ଅବହେଳା ବା ଅନଭିଜ୍ଞତା ବା ଅପାରଗତା ବା ଟଙ୍କା ଲୋଭରେ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟର ଜଣେ ବିଶେଷଜ୍ଞ ଡାକ୍ତରଙ୍କର ଚରମ ଦାୟିତ୍ବହୀନତାକୁ ସିଡିଏମଓ ଡା ଉଷାରାଣୀ ଦାଶ ଅଭିଯୁକ୍ତ ଡାକ୍ତରଙ୍କ ବିରୁଦ୍ଧରେ ବିଭାଗୀୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ଗଣମାଧ୍ୟମରେ ‘ ଏହା ଦୁର୍ଘଟଣା ହୋଇଥିଲେ ହେଁ , ରୋଗୀ ପଡିଯାଇ ଗୋଡ ଭାଙ୍ଗିଥିବା , ପୁଲିସ ରେଫର୍ ର ଏମ ଏଲ ସି ମାମଲା ହୋଇ ନ ଥିବା , ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ନେଲିଂ ସୁବିଧା ଉପଲବ୍ଧ ନ ଥିବା ଓ ଡାକ୍ତର ତାଙ୍କ ଡିଉଟି ସମୟ ବାହାରେ ଏହି ଚିକିତ୍ସା କରିଥିବା ଇତ୍ୟାଦି ସଫେଇ ଦେଇ ଡାକ୍ତରଙ୍କ ଦୋଷତ୍ରୁଟିକୁ ଘଣ୍ଟ ଘୋଡ଼ାଉଥିବାରୁ ତାଙ୍କର ଆଭିମୁଖ୍ୟକୁ ଜନସାଧାରଣଙ୍କ ପକ୍ଷରୁ ତୀବ୍ର ସମାଲୋଚନା ପ୍ରକାଶ ପାଇଛି । ଏଭଳି ଜଣେ ପକ୍ଷପାତୀ ନିର୍ଦ୍ଦୟୀ ଅପାରଗ ଚିକିତ୍ସାଧିକାରୀଙ୍କୁ ଜିଲ୍ଲା ମୁଖ୍ଯ ଚିକିତ୍ସାଧିକାରୀ ପଦରେ କିଏ ଅବସ୍ଥାପିତ କଲା ଓ ତାଙ୍କୁ ଏଠାରୁ ତୁରନ୍ତ ହଟାଯିବାକୁ ଲୋକେ ଦାବି କରିଛନ୍ତି । ଏହି କାରଣରୁ ଗଠିତ ଡାକ୍ତରୀ ତଦନ୍ତ ଦଳର ରିପୋର୍ଟର ଫଳାଫଳ ପ୍ରଭାବିତ ହୋଇ ଏହି ମାମଲାଟିକୁ ହାର୍ଟଫେଲ୍ ପରି କୌଣସି ଭିନ୍ନ ମୋଡ ଦିଆଯାଇ ଦଫାରଫା କରି ଦିଆଯିବନି ତ ବୋଲି ମଧ୍ଯ ଆଶଙ୍କା ପ୍ରକାଶ ପାଇଲାଣି । ଅଦ୍ୟାବଧି ଉକ୍ତ ବିବାଦୀୟ ନର୍ସିଂହୋମ୍ ଟିକୁ ସିଲ୍ କରାଯାଇନାହିଁ କିମ୍ବା ଫେରାର୍ ଅଭିଯୁକ୍ତମାନଙ୍କୁ ପୁଲିସ ଗିରଫ କରିନଥିବାରୁ ଏହାକୁ କୋହଳ କାର୍ଯ୍ୟାନୁଷ୍ଠାନ କରାଯାଇ ଚପାଇ ଦିଆଯିବ ବୋଲି ଚର୍ଚ୍ଚା ହେଉଛି । ଏକ କ୍ରସରରେ ମ୍ୟାନେଜର ଥିବା ଓ ମାତ୍ର ୭ ହଜାର ଟଙ୍କାର ଘରଭଡାରେ ମୃତ ମହାବୀରଙ୍କ ବିଧବାପତ୍ନୀ ଓ ସନ୍ତାନଙ୍କର କିପରି ଭରଣପୋଷଣ ହେବ , କାହାକୁ ଦେଖାଯାଉନାହିଁ !
ସର୍ବୋପରି ରାଜ୍ୟରେ ସରକାରୀ ସ୍ବାସ୍ଥ୍ୟସେବା ନିକଟରେ କଟକ ବଡମେଡିକାଲର ଏସ୍ ସି ବିର ଅଗ୍ନିକାଣ୍ଡରେ ତେରଜଣଙ୍କର ଦୁର୍ଘଟଣାରେ ଅକାଳମୃତ୍ୟୁ ପରେ ଏକ ଗୋଡଭଙ୍ଗା ଯୁବକଙ୍କୁ ମାତ୍ରାଧିକ ନିଶ୍ଚେତକ ଇଞ୍ଜେକସନ ଦିଆଯାଇ ମୃତ୍ୟୁମୁଖକୁ ଠେଲି ଦିଆଯିବା ପରି ଚରମ ଦାୟିତ୍ବହୀନତା ଅବିଭକ୍ତ ବଲାଙ୍ଗୀର ଜିଲ୍ଲା ନିବାସୀ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନାକତଳେ ଘଟିଥିବା ଅତ୍ୟନ୍ତ ଶୋଚନୀୟ ଘଟଣା ବୋଲି ଜନସାଧାରଣଙ୍କ ତରଫରୁ ସରକାରଙ୍କର ଦୃଷ୍ଟିଆକର୍ଷଣ କରାଯାଇଛି ।


“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।