ରାଜନୀତି

ବିଧାୟକଙ୍କ ଶୋଭାଯାତ୍ରାରେ ଗୁଳିଫୁଟା ମାମଲା :

Email :

ପୁଣି ହିଂସା ଆଡକୁ ମୁହାଁଇଲା ଟିଟିଲାଗଡ ରାଜନୀତି !

ଟିଟିଲାଗଡ : ଗତ ରାମନବମୀ ଶୋଭାଯାତ୍ରାରେ ଟିଟିଲାଗଡର ଶାସକଦଳର ଭାଜପା ବିଧାୟକ ନବୀନ ଜୈନ ସ୍ପଷ୍ଟ ଦିବାଲୋକରେ ବନ୍ଧୁକରୁ ଗୁଳି ଫୁଟାଇବା କାଣ୍ଡ ସାରାରାଜ୍ଯରେ ବିବଦମାନ ଓ ଚର୍ଚ୍ଚିତ ହୋଇପଡିଛି । ଗଣମାଧ୍ୟମରେ ଏହି ଫଟୋ ଭାଇରାଲ୍ ହେବା ସହ ବିରୋଧୀଦଳ ବିଜେଡି ପକ୍ଷରୁ ଏଥିପାଇଁ ବିଧାୟକଙ୍କୁ ଗିରଫ ଦାବି କରାଯିବା ସହ ଅନ୍ଯାନ୍ଯ ସଂଗଠନ ପକ୍ଷରୁ ମଧ୍ଯ ତାଙ୍କ ବିରୁଦ୍ଧରେ ଥାନାରେ ଏତଲା ଦିଆଯାଇଛି । ତେବେ ଏ ସମ୍ପର୍କରେ ପୁଲିସ ବିଧାୟକ ନବୀନ ଜୈନ ଓ ତାଙ୍କ ଅଙ୍ଗରକ୍ଷୀ ପ୍ରେମଚାନ୍ଦ ନାଗଙ୍କ ବିରୋଧରେ ମାମଲା ଋଜୁ କରିବା ସହ ବିଧାୟକଙ୍କ ଲାଇସେନ୍ସପ୍ରାପ୍ତ ବନ୍ଧୁକଟିକୁ ଜବତ କରି ଅଙ୍ଗରକ୍ଷୀ ବା ପିଏସଓଙ୍କୁ ନିଲମ୍ବିତ କରିଛି ।

ତେବେ ବିଧାୟକଙ୍କର ସର୍ବସାଧାରଣରେ ଏହି ଗୁଳିଫୁଟାକୁ ନେଇ ସେ ପ୍ରଥମେ ‘ ଏହା ଏକ ଖେଳଣାବନ୍ଧୁକ ଥିଲା ‘ ବୋଲି ଡାହାମିଛ କହି ଫାଙ୍କି ଦେବା ଓ ପରେ ‘ଲୋକଙ୍କ ସହ ଉତ୍ସବ ମାହୋଲରେ ଖୁସିବାସୀ ନିମନ୍ତେ ସେ ଏପରି ଫୁଟାଇଥିଲେ ‘ ବୋଲି ସଫେଇ ଦେଇ ଥିଲେ ହେଁ , ପୁଲିସ ତାଙ୍କ ବିରୁଦ୍ଧରେ ମାମଲା ଦାଏର କରିବା ଓ ତାଙ୍କ ଲାଇସେନ୍ସପ୍ରାପ୍ତ . ୩୨ ବୋର୍ ର ପିସ୍ତଲଟିକୁ ଜବତ କରିବାରୁ ସେ ମିଛ କହୁଥିବା ଏକପ୍ରକାର ପ୍ରମାଣିତ ହୋଇଯାଇଛି । ତଥାପି ଏହି ଗୁଳିଫୁଟା ସମ୍ପର୍କରେ ଆହୁରି କିଛି ତଥ୍ଯ ଲୁଚିଯାଇଥିବା କୁହାଯାଉଛି । ତାହାହେଲା , ମୋଟ ୩ ଥର ଗୁଳି ଫୁଟାଇବା , ସବୁଥର ସେ ତାଙ୍କ ପିସ୍ତଲରୁ ଗୁଳି ଫୁଟାଇଥିଲେ ନା ପିଏସଓଙ୍କ ସର୍ଭିସ୍ ରିଭଲଭର଼ରୁ ତାଙ୍କ ହୋଲଷ୍ଟରରୁ ଟାଣି ଆଣି ( ଥରକର ଭିଡିଓ ଭାଇରାଲ୍ ରେ ଜଣାପଡୁଥିବା ) ବା ପି ଏସଓଙ୍କ ପାଖରେ ସର୍ଭିସ୍ ରିଭଲଭର ନ ଥିବା ଓ ଶେଷଥର ନିଜ ଲାଇସେନ୍ସ ବନ୍ଧୁକରୁ ଶୂନ୍ଯକୁ ଗୁଳି ଫୁଟାଇ ସାରି ନିଜ ଅଣ୍ଟାରେ ଖୋସୁଥିବା ( ଭାଇରାଲ୍ ଭିଡିଓ ରେ ପ୍ରଦର୍ଶିତ) ଇତ୍ୟାଦିର ଚର୍ଚ୍ଚା ଅନ୍ତର୍ଭୁକ୍ତ ।

ଅନ୍ୟପକ୍ଷରେ ଅନ୍ୟତମ ଅଭିଯୁକ୍ତ ନିଲମ୍ବିତ ପିଏସଓ ବା ଅଙ୍ଗରକ୍ଷୀ ଜଣକ ନିର୍ଦୋଷ ବୋଲି ଅଭିଯୋଗକାରୀଙ୍କ ପକ୍ଷରୁ ସମବେଦନା ଜ୍ଞାପନ କରାଯାଉଥିବା ବେଳେ , ପିଏସ୍ ଓ ଜଣକ ( ବିଜୁଳି ତାରରେ ବାଜିଯିବାର ସମ୍ଭାବନାରୁ ରୋକିବାକୁ ହେଲେ ବି ) ବିଧାୟକ ଧରି ଗୁଳିଫୁଟାଉଥିବା ପିସ୍ତଲଟିକୁ କଗ୍ କରି ଧରାଇଦେଇ ତାଙ୍କ ହାତକୁ ଧରି ଉପରକୁ ଟେକୁଥିବା ଓ ଉପରକୁ ଦେଖାଉଥିବା ଇତ୍ୟାଦିର କି ସପକ୍ଷ ଯୁକ୍ତି ଥାଇପାରେ ? ତେବେ ଏହା ଯେ ଆଦୌ ଏକ ଖେଳଣାବନ୍ଧୁକ ନଥିଲା , ଏହାକୁ ଫୁଟାଯିବା ପରେ ପିଏସଓ ଓ ପାଖଲୋକମାନେ ପଛକୁ ନଇଁପଡ଼ି ସମ୍ଭବତଃ ଖୋକା ଖୋଜୁଥିବା ଦୃଶ୍ଯରୁ ଅନୁମାନ କରାଯାଇପାରେ ।

ଅବଶ୍ଯ ବଲାଙ୍ଗୀର ଏସ୍ ପି ଓ ସମ୍ବଲପୁର ପୁଲିସ ଆଇ ଜି ପହଞ୍ଚିଯାଇ ମାମଲାଟିର ତନାଘନା କରିଥିବା ଓ ଆଇନ ଅନୁଯାୟୀ ତଦନ୍ତର ପ୍ରତିଶ୍ରୁତି ଦେଇଥିବା ଆଶ୍ବାସନାର କଥା । ଏହି ମାମଲାର ନିରପେକ୍ଷ ତଦନ୍ତରେ ବିରୋଧୀଙ୍କର ଅଥବା ଦଳୀୟ ଗୋଷ୍ଠୀକନ୍ଦଳର ରାଜନୀତିର କୂଟନୈତିକ ଚାପରେ ଆଇନ୍ ତା’ ବାଟରେ ଯାଉ କି କ୍ଷମତାସୀନ ଶାସନର ଅଦୃଶ୍ଯ ଇଙ୍ଗିତରେ ବାଟବଣା ହେଉ ; ଆମର ସେଥିରେ ଏବେ ଆଉଥରେ ତର୍ଜମା କରିବାର ନାହିଁ ।

କିନ୍ତୁ ଅତୀତର ବିଜେଡିର ପୂର୍ବତନ ବିଧାୟିକା ତଥା ପୂର୍ବମନ୍ତ୍ରୀ ଟୁକୁନୀ ସାହୁଙ୍କ ସ୍ବାମୀ ବିଜେଡିନେତା ଅଭି ସାହୁ ହାଇପ୍ରୋଫାଇଲ ହତ୍ୟାକାଣ୍ଡଠାରୁ କିଛିଦିନ ତଳେ ଏହି ଏସ୍ ପିଙ୍କ ହାତରେ ବିଧାୟକଙ୍କ ଡାହାଣହାତ ଅଙ୍କୁର ଅଗ୍ରବାଲ ଜଣେ ଲଜ୍ ମାଲିକଙ୍କୁ ଗାଡି ଚପାଇ ହତ୍ୟା ଉଦ୍ୟମ କରି ସହଯୋଗୀଙ୍କ ସହ ଗିରଫ ହୋଇ ଜେଲ ଯିବା ଓ ଟୁକୁନୀଙ୍କ ଗଣମାଧ୍ୟମର ବିବୃତି ଅନୁଯାୟୀ , ଗତ ହୋଲି ବେଳେ ବିଧାୟକଙ୍କୁ ଗାଳି ଦେଇ ତାଙ୍କ ଅନୁଗତଙ୍କ ଠାରୁ ମାଡଖାଇ ଥାନାକୁ ମାମଲା ଯିବାପରେ ପୁଣି ଡାକିଆଣି ମିଶାଇଲା ପରେ ଶୋଭାଯାତ୍ରାରେ ବିଜେପି କର୍ମୀ କାଳିଆ ଓରଫ ଚିନ୍ତାମଣୀ ସାହୁଙ୍କର ଗାଡିରୁ ପଡି ବିବଦମାନ ମୃତ୍ୟୁ ଘଟଣା ଇତ୍ୟାଦିରୁ ପୁଣିଥରେ ଟିଟିଲାଗଡ ରାଜନୀତି ହିଂସା ଆଡକୁ ମୁହାଁଉଥିବା ଆଶଙ୍କାର ଚର୍ଚ୍ଚାର ଏହା ଏକ ଅଗ୍ରୀମ ଟ୍ରେଲର୍ ନୁହେଁ ତ ‘ ବୋଲି ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି ?

ଏସବୁ ମୂଳରେ ଗତ କିଛିବର୍ଷ ହେଲା ଟିଟିଲାଗଡରେ କ୍ଷମତା ରାଜନୀତି ଅପରାଧୀ -ବ୍ଯବସାୟୀଙ୍କ ହାତରେ ରହିଥିବାରୁ ହୁଏତ ଏହି ଉପାୟରେ ପ୍ରତିପତ୍ତିଶାଳୀ ହୋଇଉଠିଥିବା ବିଧାୟକ ପ୍ରତିଦ୍ବନ୍ଦୀଙ୍କ ଠାରୁ ବିପଦ ଆଶଙ୍କାରେ ଏଭଳି ବନ୍ଧୁକ ରଖିବା ଓ ସର୍ବସାଧାରଣରେ ପ୍ରଦର୍ଶନ କରି ନିଜକୁ ବାହୁବଳୀ ଦେଖାଇବା ମାନସିକତା ବୋଲି ଲୋକଙ୍କ ଚର୍ଚ୍ଚାରୁ ପ୍ରକାଶ ।

ବିଶ୍ବସ୍ତ ସୂତ୍ରରୁ ପ୍ରକାଶ ଯେ , ଗତ ଜାନୁୟାରୀ ମାସରେ ବିଧାୟକ ତାଙ୍କର ଓ ତାଙ୍କ ପୁଅ ନାଁ’ରେ ୨ ଟି ପିସ୍ତଲ ଲାଇସେନ୍ସ ଆବେଦନ କରିଥିଲେ । ଯଦିଓ ଆର ଲାଇସେନ୍ସଟି ସେ ତାଙ୍କ ସାଙ୍ଗରେ ବଲାଙ୍ଗୀର ଏଡିଏମଙ୍କ ପାଖକୁ ଉକ୍ତ ଦିନ ଯାଇଥିବା ତାଙ୍କର ଅନ୍ୟତମ ସହଯୋଗୀ ଯୁବକଙ୍କ ନାଁ’ରେ କରିବାର ଥିଲା ଓ ପରେ ଏହା କାଟ ଖାଇ ଯାଇଥିଲା । କିଛିବର୍ଷ ତଳର ବିକାଶ ଲାଠ ଅପହରଣ ଓ ହତ୍ୟାକାଣ୍ଡ ମାମଲା ବେଳେ ଆଲୋଚନାର ପରିଧିକୁ ଆସିଥିବା ଔଷଧବ୍ୟବସାୟୀ ଜାତିଭାଇ ଜୈନବନ୍ଧୁ ‘ ମହାରାଷ୍ଟ୍ର ଓ ହରିଆନାରେ ଏମିତି ଶକ୍ତି ପ୍ରଦର୍ଶନ’ର ଉଦାହରଣ ଦେଇ ଚଳିତ ରାମନବମୀ ଶୋଭାଯାତ୍ରାରେ ଏଭଳି ପ୍ରଦର୍ଶନର ପ୍ରସ୍ତାବ ଦେଇଥିଲେ ବୋଲି କୁହାଯାଇଛି । ତେବେ ସେ ଯା’ ହେଉ , ନିଜ ଜୀବନ ପ୍ରତି ବିପଦର ଆଶଙ୍କା ବା ଆଗାମୀ ପଞ୍ଚାୟତ ନିର୍ବାଚନ ନିମନ୍ତେ ଶକ୍ତିମାନ୍ ଭାବମୂର୍ତ୍ତି ବନାଇବା ଲକ୍ଷ୍ୟରେ ବିଧାୟକଙ୍କର ଏହି ୟୁପି- ବିହାର ଭଳି ବାହୁବଳୀ ଶକ୍ତିପ୍ରଦର୍ଶନ ତାଙ୍କୁ ମହଙ୍ଗା ପଡିଗଲା !

Leave a Reply

Your email address will not be published. Required fields are marked *

Related Post