ଦୁର୍ନୀତି

ସ୍କୁଲ୍ ୟୃନିଫର୍ମ କଳାବଜାର !

Email :

ଓସେପାର ଗାଇଡ୍ ଲାଇନ୍ କୁ କେତେ ମାନିବେ ସେମାନେ ?

ସରକାର ଡାଳେ ଡାଳେ : ଅସାଧୁ ବେପାରୀ / ଅଧିକାରୀ ପତ୍ରେ ପତ୍ରେ

ବଲାଙ୍ଗୀର : ଏଥର ଖରାଛୁଟି ପୂର୍ବରୁ ଆଗାମୀ ଅପ୍ରେଲ୍ ୨୭ ତାରିଖ ସୁଦ୍ଧା ରାଜ୍ୟର ଶିଶୁବାଟିକା ଠାରୁ ମାଟ୍ରିକ୍ ପର୍ଯ୍ୟନ୍ତ ସବୁ ଛାତ୍ରଛାତ୍ରୀଙ୍କୁ ସ୍କୁଲ୍ ୟୁନିଫର୍ମ ମିଳିବା ଓ ଏହାର ଗୁଣବତ୍ତା ଯାଞ୍ଚ କରାଯିବା ନେଇ ନିର୍ଦ୍ଦେଶକୁ ପାଳନ କରାଯିବାକୁ ଓସେପାର ଗାଇଡ୍ ଲାଇନ୍ ଅନୁଯାୟୀ ଗଣଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ କମିଟି ଗୁଡିକ ଏହାର ବଣ୍ଟନ ଉପରେ ଦୃଷ୍ଟି ଦେବାକୁ ସରକାର ନିର୍ଦ୍ଦେଶ ଜାରୀ କରିଛନ୍ତି ।

ଏହି ଅନୁଯାୟୀ , ୨୦୨୬- ୨୭ ଶିକ୍ଷାବର୍ଷର ଶିଶୁବାଟିକାରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ସ୍କୁଲ୍ ୟୁନିଫର୍ମ , ହାଉସ୍ ଡ୍ରେସ୍ , ଜୋତାମୋଜା ଏବଂ ଶିଶୁବାଟିକାରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ପରିଚୟ ପତ୍ର ଓ ଟୋପି ଦିଆଯିବ ।

ଏଥିପାଇଁ ପୂର୍ବରୁ ପୋଷାକ ତିଆରି ଦାୟିତ୍ବରେ ଥିବା ମହିଳା ଏସ ଏଚ ଜି , ଏମ ଏସ ଇ , ଏସ ଏମ ସି , ଏସ ଏମ ଡି ସି ଓ ଭି ଏମ ଡି ସି ଙ୍କୁ ପରିବର୍ତ୍ତନ କରାଯିବନାହିଁ ବୋଲି ପ୍ରକାଶ । ଜିଲ୍ଲା ସ୍ତରୀୟ କମିଟି ମାନେ ଏହାର ଗୁଣବତ୍ତା ଯାଞ୍ଚ ଓ ତଦାରଖ କରିବେ । ୧୦ ତାରିଖ ସୁଦ୍ଧା ସମସ୍ତ ସ୍କୁଲର ତଥ୍ଯ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ପାଖରେ ପହଞ୍ଚିବ। ୧୨ ତାରିଖ ସୁଦ୍ଧା ସମସ୍ତ ପୋଷାକ ପ୍ରସ୍ତୁତି ଦାୟିତ୍ବରେ ଥିବା ସଂସ୍ଥାର ୱାର୍କଅର୍ଡରକୁ ସମୀକ୍ଷା କରାଯିବ । ୨୭ ତାରିଖ ସୁଦ୍ଧା ପୋଷାକ ବଣ୍ଟନ , ୩୦ ତାରିଖ ସୁଦ୍ଧା ଗୁଣବତ୍ତା ଯାଞ୍ଚ ଓ ମେ ୨ ତାରିଖ ସୁଦ୍ଧା ବଣ୍ଟନ ସରିବା ସହିତ ସବିଶେଷ ରିପୋର୍ଟ ଓସେପା ଅଫିସରେ ଦାଖଲ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ସର୍ବୋପରି ଏଥର କଡାକଡି ହେବ ପୋଷାକର ଗୁଣବତ୍ତା ଯାଞ୍ଚ ବୋଲି ଖବରରୁ ପ୍ରକାଶ ।

ଆଗରୁ ମଧ୍ଯ ଏଭଳି ସରକାରୀ ନିୟମ ରହିଥିବ । ତେବେ ପୂର୍ବ ଅଭିଜ୍ଞତାରୁ ଦେଖାଯାଇଛି , ସରକାର ଡାଳେ ଡାଳେ ଗଲେ , ଅସାଧୁ ବେପାରୀ ଓ ସେମାନଙ୍କୁ ଦୁର୍ନୀତିରେ ହାତଚିକ୍କଣ କରି ସହଯୋଗ କରି ଆସୁଥିବା ଅଧିକାରୀମାନେ ପତ୍ରେ ପତ୍ରେ ଯାଇ ସରକାରଙ୍କ ଆଖିରେ ଧୁଳି ଝିଣ୍ଟି ଆସୁଛନ୍ତି । ବିଧିବଦ୍ଧ ଭାବରେ ଟେଣ୍ଡର ହେଉଥିଲେ ହେଁ , ଜିଲ୍ଲା ଶିକ୍ଷାଧିକାରୀ , ଜିଲ୍ଲା ଶିକ୍ଷା ପ୍ରକଳ୍ପ ସଂଯୋଜକ, ବିଡିଓ, ବିଇଓ , ଏବିଇଓ , ବିଆରସି , ଆଇପିଓ , ସିଡିପିଓ ଓ ମିଶନଶକ୍ତିର ମହିଳା ସଂଯୋଜିକା ପ୍ରମୁଖଙ୍କ ସମେତ ସ୍କୁଲର ପ୍ରଧାନଶିକ୍ଷକ/ ଶିକ୍ଷୟିତ୍ରୀଙ୍କ ସହ ପ୍ରସ୍ତୁତକାରୀ ବନାମ ଯୋଗାଣକାରୀ ସଂସ୍ଥାର କର୍ମକର୍ତ୍ତାଙ୍କ ପର୍ଯ୍ୟନ୍ତ ସମସ୍ତେ ‘ଖଜୁରୀ ଗଛର ପାହାଚ ପାହାଚ’ ପରି ଉକ୍ତ ଦୁର୍ନୀତିରେ ଜଡିତ ରହୁଥିବା ଅଭିଯୋଗରୁ ପ୍ରକାଶ ।

ଫଳତଃ ବଜାରରୁ ବରାଦଦିଆ ଶସ୍ତା କପଡା , ହାଲ୍ କା ସିଲେଇର ନିମ୍ନମାନର ପୋଷାକସାମଗ୍ରୀ ହିଁ ବଣ୍ଟନ କରାଯାଇ ପ୍ରଚୁର ବାଟମାରଣାର ରାକେଟ୍ ସକ୍ରିୟ ରହିଛି । ମହିଳା ଏସ ଏଚ ଜି ପରି ଉଦ୍ୟୋଗକୁ ପ୍ରୋତ୍ସାହନ ଦେବା ଇତ୍ୟାଦି ଆଳରେ ଓ କମିଟି ଗଠନ କରି ବଣ୍ଟନ ପ୍ରକ୍ରିୟାର ସ୍ବଚ୍ଛତାର ଆଳ ଦର୍ଶାଇ ଏହି ଅସାଧୁ ବେପାରୀ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଯୋଗୁଁ ବସ୍ତୁତଃ ସର୍ବଥା ଏହି ଗୁରୁତର ଅନିୟମିତତାର ଭଣ୍ଡାଫୋଡ୍ କରାଯାଇପାରୁନାହିଁ ।

ଯଦି ବଲାଙ୍ଗୀର ଜିଲ୍ଲାର ଏଭଳି ଦୁର୍ନୀତିର ଉଦାହରଣ ଦିଆଯାଏ ଗତବର୍ଷର ଗଣମାଧ୍ୟମର ରିପୋର୍ଟ ଏହାର ପ୍ରମାଣ । ଯାହାକୁ ବିଭାଗ , ପ୍ରଶାସନ ବା ସରକାର ନଜରଅନ୍ଦାଜ କରି ଆସିଛନ୍ତି । ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲା ସହିତ ପଡୋଶୀ ନୂଆପଡା ଇତ୍ୟାଦି ଜିଲ୍ଲାକୁ ସଂକ୍ରମିତ ଏଭଳି ଏକ ଦୁର୍ନୀତି ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ଉପଖଣ୍ଡର ପାଟଣାଗଡ ବ୍ଲକର କୁତମୁଣ୍ଡା ଓ ଏହି ତଥାକଥିତ ପୋଷାକପ୍ରସ୍ତୁତି ୟୁନିଟ୍ ର ସହଯୋଗୀ ସଂସ୍ଥାଗୁଡିକ ଦ୍ବାରା ବର୍ଷ ବର୍ଷ ଧରି ହୋଇ ଆସୁଥିବା ଅଭିଯୋଗରୁ ପ୍ରକାଶ । ଏପରିକି ବଲାଙ୍ଗୀର ଜିଲ୍ଲାର ବଲାଙ୍ଗୀର, ପାଟଣାଗଡ, ବଙ୍ଗୋମୁଣ୍ଡାରୁ ଆରମ୍ଭ ହୋଇ କଣ୍ଟାବାଞ୍ଜି ଓ ସୁବର୍ଣ୍ଣପୁର ଜିଲ୍ଲାର ତରଭା ଇତ୍ୟାଦି ସ୍ଥାନର କେତେକ କପଡା ଦୋକାନୀ ଏଥିରେ ଜଡିତ। ରାୟପୁରରୁ ଶସ୍ତାକପଡା ଓ ପୋଷାକ ଅଣାଯାଉଛି । ସମ୍ପୃକ୍ତ ଅଧିକାରୀ ଓ ସ୍କୁଲ୍ ର ପ୍ରଧାନଶିକ୍ଷକ/ ଶିକ୍ଷୟିତ୍ରୀଙ୍କ ସହ ସଲାସୁତୁରାରେ ଏହା ଚାଲିଥିବା ଧରା ମଧ୍ଯ ପଡିଛି । ଏପରି କି ତୁଙ୍ଗ ରାଜନୈତିକ ପ୍ରତିନିଧିମାନେ ଏଥିରୁ ବଟି ଖାଉଥିବା ସମ୍ପର୍କୀୟ ଚାଞ୍ଚଲ୍ୟକର ଚର୍ଚ୍ଚା ହୋଇଆସୁଛି । ଏଣୁ ଏହି ଦୁର୍ନୀତିର ରାକେଟ୍ କୁ ସରକାର କିଭଳି ପ୍ରତିହତ କରିବେ , ଚିନ୍ତାର ବିଷୟ !

Leave a Reply

Your email address will not be published. Required fields are marked *

Related Post