ଅଧ୍ୟାପକରୁ ବାଣିଜ୍ଯକର କମିଶନର ଓ ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର୍
ଜାଲିଆତି କରି ଲୋଇସିଂହାରେ ଅଧ୍ୟାପକ ଚାକିରୀ
ଭଷ୍ମାରେ ଚାକିରୀ କରାଇଦେବାକୁ ମହିଳାଙ୍କ ଠାରୁ ୧୫ ଲକ୍ଷ ଠକେଇ
ବରଗଡର ଠକ ସୁନ୍ଦରଗଡ ପୁଲିସ ଦ୍ବାରା ବଲାଙ୍ଗୀରରୁ ଗିରଫ
ଭୁବନେଶ୍ବରରେ ୪ କୋଟିର କୋଠା ବିକିବାକୁ ୧ କୋଟି
ଅଗ୍ରୀମ ?
ବଲାଙ୍ଗୀର : ପଶ୍ଚିମଓଡିଶାର ବରଗଡ ଜିଲ୍ଲାର ଏକ ଗ୍ରାମୀଣ ନିମ୍ନବିତ୍ତ ପରିବାରର ଜଣେ ଦଳିତଯୁବକର ବହୁରୂପୀ ଠକେଇରେ ବିଭିନ୍ନ ଜିଲ୍ଲା ସମେତ ରାଜଧାନୀ ଭୁବନେଶ୍ଵର ପର୍ଯ୍ୟନ୍ତ ଅଞ୍ଚଳର ବହୁଲୋକ ସର୍ବସ୍ବାନ୍ତ ହୋଇଥିବା ଓ ଶେଷରେ ଉକ୍ତ ଠକକୁ ଠକେଇ ଏତଲା ପରେ ଏକ ମାମଲାରେ ସୁନ୍ଦରଗଡ ପୁଲିସ ବଲାଙ୍ଗୀରରୁ ଗିରଫ କରିନେବା ଘଟଣା ସଂପ୍ରତି ଚର୍ଚ୍ଚାର ବିଷୟ ହୋଇଛି ।
ପ୍ରକାଶ ଯେ , କୌଣସିପ୍ରକାର ଶିକ୍ଷାଗତ ପ୍ରମାଣପତ୍ର ନ ଥାଇ ବରଗଡ ଜିଲ୍ଲା ଗାଇସିଲେଟ ଥାନାନ୍ତର୍ଗତ କନ୍ଦାଗାଡ ଗ୍ରାମର ଜଣେ ହରିଜନ ଯୁବକ ସରୋଜ କୁମ୍ଭାର ଓରଫ ସରୋଜ କୁମାର କିଛିଦିନ ତଳେ ବଲାଙ୍ଗୀର ଜିଲ୍ଲାର ଲୋଇସିଂହା କଲେଜର ଏଜୁକେଶନ ବିଭାଗର ଜଣେ ଅଧ୍ୟାପକ ଭାବେ ପରିଚାଳନା କମିଟିର ଅନୁମୋଦନ କ୍ରମେ ନିଯୁକ୍ତ ହୋଇଥିଲେ । ସେହି ସମୟ ମଧ୍ଯରେ ସେ ଗାଇସିଲେଟର ‘ ଆକାଂକ୍ଷା ମୋଟର୍ସ’ରୁ ଏକ ଜୁପିଟର ସ୍କୁଟି ଲୋଇସିଂହା କଲେଜର ଠିକଣା ଦେଇ ଲୋଇସିଂହା ଇଣ୍ଡିଆନ ବ୍ୟାଙ୍କ ଶାଖାରୁ କିସ୍ତିରେ କିଣିଥିଲେ । ତେବେ ପିଲାଙ୍କୁ ଶ୍ରେଣୀରେ ପଢାଇଲା ବେଳେ ତାଙ୍କର କୌଣସିପ୍ରକାର ଶିକ୍ଷାଦାନର ଯୋଗ୍ଯତା ନ ଥିବା ଓ ଅନାବନା କାର୍ଯ୍ୟକଳାପ ଏବଂ ସେ ତାଙ୍କର ପ୍ରମାଣପତ୍ର ଏବଂ ତଥାକଥିତ ପିଏଚଡିର ପ୍ରମାଣ ଇତ୍ୟାଦି ଦାଖଲ କରି ନ ପାରିବା ଯୋଗୁଁ ସନ୍ଦେହ ହେବାରୁ ତାଙ୍କୁ ବାହାର କରି ଦିଆଯାଇଥିଲା । ତେବେ ପରିଚାଳନା କମିଟି କିପରି ତାଙ୍କୁ କେଉଁ ଭିତ୍ତିରେ ଚାକିରୀରେ ରଖିଥିଲା ଓ ଉକ୍ତ ବ୍ୟାଙ୍କ ମଧ୍ଯ ତାଙ୍କର ପାନ୍ କାର୍ଡ ଇତ୍ୟାଦି ବିନା ଦଲିଲ୍ ଦସ୍ତାବିଜ୍ ରେ କିପରି ଲକ୍ଷାଧିକ ଟଙ୍କାର ଋଣ ମଞ୍ଜୁର କଲା , ତାହା ମଧ୍ଯ ତଦନ୍ତ ସାପେକ୍ଷ !
ପି ଏଚ୍ ଡି କରାଇଦେବାକୁ ଆଇ ଆଇସିଙ୍କ ଅଧ୍ୟାପିକାପତ୍ନୀଙ୍କୁ ଚୂନା
ସେ ଯା’ ହେଉ , ଥାନାରେ ତାଙ୍କ ବିରୋଧରେ ଭାଲୁଗାଡର ଜଣେ ମହିଳାଙ୍କ ପକ୍ଷରୁ ତାଙ୍କ ପୁଅଝିଅଙ୍କୁ ବାଣିଜ୍ଯକର ବିଭାଗରେ ଚାକିରୀ କରାଇଦେବାକୁ ତାଙ୍କଠାରୁ ଫୋନ୍ ପେ ,ବ୍ୟାଙ୍କ ଓ ନଗଦରେ ୧୫ ଲକ୍ଷ ଟଙ୍କା ଠକିନେଇ ଆହୁରି ୧୦ ଲକ୍ଷ ଟଙ୍କା ମାଗିବା ଓ ସନ୍ଦେହ ହେବାରୁ ଟଙ୍କା ଫେରସ୍ତ ମାଗିବାରୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ଅଭିଯୋଗରେ ସୁନ୍ଦରଗଡ ଜିଲ୍ଲାର ଭଷ୍ମା ଥାନାପୁଲିସ ଗତ ୧୭ ତାରିଖରେ ଏହି ଅଭିଯୁକ୍ତ ଠକ ସରୋଜ ନନ୍ଦ ଓରଫ ରିତେଶ ତ୍ରିପାଠୀ ଓରଫ ସରୋଜ କୁମାରକୁ ବଲାଙ୍ଗୀର ଟାଉନଥାନାର ଭାଗିରଥୀଛକରୁ ଉଠାଇ ନେଇ ଗିରଫ କରି କୋର୍ଟଚାଲାଣ କରିଛି । ସେ ବଲାଙ୍ଗୀର ପ୍ୟାଲେସ ଲାଇନରେ ପତ୍ନୀଙ୍କ ସହ ଏକ ଭଡାଘରେ ରହୁଥିଲା । ପୁଲିସ ତା’ ଘର ଉପରେ ଖାନତଲାସ କରି ଏକ ହୁଣ୍ଡାଇ ଭେରେନା କାର୍ , ୮ ଟି ମୋବାଇଲ, ଟାବଲେଟ , ୫ଟି ଏଟିଏମ୍ କାର୍ଡ , ଚେକ୍ ବୁକ୍ ଓ ୭ଟି ପାସବୁକ୍ ଇତ୍ୟାଦି ଜବତ କରିଥିବା ସମ୍ପର୍କରେ ସୁନ୍ଦରଗଡ ଏସଡିପିଓ ନିର୍ମଳ ମହାପାତ୍ରଙ୍କ ଠାରୁ ଅନୁଷ୍ଠିତ ଏକ ସମ୍ବାଦଦାତା ସମ୍ମିଳନୀରୁ ପ୍ରକାଶ । ଠକ ଜଣକ ଟଙ୍କାପଇସାବାଲୀ ମହିଳାଙ୍କୁ ଟାର୍ଗେଟ୍ କରି ହନିଟ୍ରାପ୍ ରେ ଫସାଇ ଲକ୍ଷ ଲକ୍ଷ ଟଙ୍କା ବିଭିନ୍ନ ଆଳରେ ଠକିନେଇ ମୁଖ୍ୟତଃ ଏହି ଟଙ୍କାକୁ ଅନ୍ ଲାଇନ ଟ୍ରେଡିଂରେ ଲଗାଉଥିବା ଭଷ୍ମା ଆଇ ଆଇ ସି ଅମର ହୋତାଙ୍କ ଠାରୁ ପ୍ରକାଶ । ଏହି ମାମଲାଟି ଗତ ୨୭। ୮ । ୨୦୨୫ ତାରିଖରେ ଏତଲା ହୋଇଥିଲା ଓ ତତ୍କାଳୀନ ଅଃଋଥାନାଧିକାରୀ ସୁଶାନ୍ତପରିଡା ଏହାକୁ ଋଜୁ କରିଥିଲେ । ଅଭିଯୋଗକାରିଣୀ ମହିଳା ରଞ୍ଜିତା କାଲୋ ଗତ ୧୯ । ୧୧ । ୨୦୨୪ ତାରିଖରେ ଅଭିଯୁକ୍ତ ଠକ ସରୋଜ ନନ୍ଦ ଓରଫ ରିତେଶ ତ୍ରିପାଠୀଙ୍କ ସହ ତା’ର ଜାଲ୍ ଆକାଉଣ୍ଟର ଫେସବୁକ୍ ଫ୍ରେଣ୍ଡସିପ୍ ରୁ ତା’ ସହ ସମ୍ପର୍କ ଯୋଡିଥିବା କହିଛନ୍ତି । ଏଥିରେ ଅଭିଯୁକ୍ତ ଠକର ପତ୍ନୀର ସମ୍ପୃକ୍ତି ସହ …ବାରିକ , ଆଲୋକ ପ୍ରଧାନ , …..ବେହେରା ଇତ୍ୟାଦି ଅନ୍ଯାନ୍ଯ କେତେକ ସହଯୋଗୀ ରହିଥିବା ପୁଲିସ ତଦନ୍ତରୁ ପ୍ରକାଶ । ଅଭିଯୁକ୍ତ ବଲାଙ୍ଗୀର ଜିଲ୍ଲାର କନ୍ଦାଜୁରୀର ଜଣେ ତରୁଣୀଙ୍କୁ ବିବାହ କରିଛି ।
ଅଧିକନ୍ତୁ ସରୋଜ କୁମାରର ଆଉ କେତେକ କାରନାମାର ପର୍ଦ୍ଦାଫାସ୍ ହୋଇ ନ ଥିଲେ ହେଁ , ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି । ତନ୍ମଧ୍ୟରୁ ଏହି ଠକ ଜଣକ କିଛିଦିନ ତଳେ ଜଣେ ପୁଲିସ ଆଇ ଆଇ ସି ଙ୍କ ଭୁବନେଶ୍ବର ଅଞ୍ଚଳର ଅଧ୍ୟାପିକା ପତ୍ନୀଙ୍କୁ ପି ଏଚ ଡି କରାଇ ଦେବାକୁ ଲକ୍ଷ ଲକ୍ଷ ଟଙ୍କାର ଚୂନା ଲଗାଇଥିବା ଓ କ୍ୟାପିଟାଲ ଭୁବନେଶ୍ବରରେ ଏକ ବହୁମୂଲ୍ଯ ଫ୍ଲାଟ୍ କୁ ୪ କୋଟି ଟଙ୍କାରେ ବିକ୍ରିକରିବାକୁ ୧ କୋଟି ଟଙ୍କାର ଅଗ୍ରୀମ ଠକିନେଇଥିବା ଏବଂ ଏଥିରେ ସର୍ବସ୍ବାନ୍ତ ହୋଇଥିବା ଜଣେ କର୍ମଚାରୀ ( ପିଅନ ) ସୁବର୍ଣ୍ଣପୁର ଜିଲ୍ଲାର ହୋଇଥିବା ସହ ସଂପ୍ରତି ବୀରମହାରାଜପୁର ରାଜସ୍ବ ବିଭାଗକୁ ବଦଳି ହୋଇଥିବା ଜଣାଯାଏ । ତାଙ୍କ ପାଖରେ ଠକର ଉକ୍ତ ଜୁପିଟର ସ୍କୁଟିଟି ରହିଥିବା ବିଶ୍ବସ୍ତ ସୂତ୍ରରୁ ପ୍ରକାଶ । ତେଣୁ ବିଭିନ୍ନ ଅଞ୍ଚଳରେ ବିଭିନ୍ନ ଜାଲ୍ ପରିଚୟରେ ଏହି ବହୁରୂପୀ ଠକର ଆଉ କେଉଁ କେଉଁଠି କି କି କାଣ୍ଡକାରନାମା ରହିଛି , ତାହାର ଏକ ବିସ୍ତୃତ ଅନୁସନ୍ଧାନମୂଳକ ରିପୋର୍ଟ ପରେ ପ୍ରକାଶ ପାଇବ ।


“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।