ରାକେଟ୍ ରେ ପତ୍ନୀ , ରାଜନେତା , ପୁଲିସ ଓ ଓକିଲ ସାମିଲ୍ !
ଭୁବନେଶ୍ଵର : ନିଜକୁ ଜଣେ ବିକ୍ରିକର କମିଶନର ପରିଚୟ ଦେଇ ଖଣି ପାଇଁ ବାସଚ୍ୟୁତ ଜଣେ ବିଧବା ଆଦିବାସୀ ମହିଳାଙ୍କୁ ପ୍ରଥମେ ଫେସବୁକ୍ ରେ ବନ୍ଧୁତା ସ୍ଥାପନ କଲାପରେ ତାଙ୍କ ପୁଅକୁ ବିକ୍ରିକର ବିଭାଗରେ ଚାକିରୀ କରାଇଦେବାକୁ ମିଥ୍ୟା ପ୍ରଲୋଭନ ଦେଇ ୧୫ ଲକ୍ଷ ଟଙ୍କା ଠକିନେବା ଅଭିଯୋଗରେ ସୁନ୍ଦରଗଡ ପୁଲିସ ହାତରେ ଗିରଫ ହୋଇଥିବା ବଲାଙ୍ଗୀର ସହରରେ ରହୁଥିବା ବରଗଡ ଜିଲ୍ଲାର ଗାଇସିଲେଟ ଥାନାନ୍ତର୍ଗତ କନ୍ଦାଗାଡର ବାସିନ୍ଦା ଜଣେ ଆନ୍ତଃଜିଲ୍ଲା ଠକ ସରୋଜ କୁମ୍ଭାର ଆହୁରି କେତେକ ଏଭଳି ଠକେଇ ମାମଲାରେ ଜଡିତ ଥିବା ପୁଲିସ ସୂତ୍ରରୁ ପ୍ରକାଶ । ଉକ୍ତ ଅଭିଯୁକ୍ତକୁ ଗିରଫ ପରେ ସୁନ୍ଦରଗଡର କୋର୍ଟଚାଲାଣ ଅବସରରେ ଗତମାସ ୨୭ ତାରିଖରେ ଭସ୍ମା ଥାନାରେ ଅନୁଷ୍ଠିତ ଏକ ସମ୍ବାଦଦାତା ସମ୍ମିଳନୀରେ ସୁନ୍ଦରଗଡ ସଦର ଏସଡିପିଓ ନିର୍ମଳ ମହାପାତ୍ରଙ୍କ ସୂଚନାରୁ ଏହା ପ୍ରକାଶ ପାଇଛି । ଅଭିଯୁକ୍ତ ଜଣକ ଏବେ ସୁନ୍ଦରଗଡ ଜିଲ୍ଲାଜେଲ୍ ରେ ରହିଛି ଓ ତା’କୁ ବାହାର କରିବାକୁ ଗତ ୬ ଓ ୧୧ ତାରିଖର ପ୍ରାୟ ୩ ଥରର ଜାମିନ ଆବେଦନ ନାମଞ୍ଜୁର ହେଲାପରେ ଉଚ୍ଚ ଅଦାଲତରେ ଆବେଦନ କରାଯିବାକୁ ଉଦ୍ୟମ ଆରମ୍ଭ ହୋଇଥିବା ସୂଚନା ମିଳିଛି । ଜନୈକା ରାଜନେତ୍ରୀଙ୍କ ସମ୍ପର୍କୀୟା ମହିଳାଓକିଲ ଓ ତାଙ୍କ ସହକାରୀ ଓକିଲଙ୍କ ଜରିଆରେ ଅଭିଯୋଗକାରିଣୀଙ୍କ ଠାରୁ ଅଭିଯୁକ୍ତର ପତ୍ନୀ ୫ ଲକ୍ଷ ଟଙ୍କା ଫେରସ୍ତ ଦେବା ସହ ଆଗାମୀ ଦୁଇମାସ ମଧ୍ଯରେ ଅବଶିଷ୍ଟ ଠକେଇ ଟଙ୍କା ଫେରେଇ ଦେବା ସର୍ତ୍ତରେ ଏକ ସତ୍ୟପାଠ କରାଯାଇ ଉକ୍ତ ପିଟିସନ୍ ଦିଆଯାଇଥିଲା । ଯାହା କି ମାନ୍ୟବର ଜେ ଏମ୍ ଏଫ୍ ସି – ଆର୍ ଖାରଜ କରିଦେଇଥିବା ପ୍ରକାଶ । ଉକ୍ତ ମହିଳାଓକିଲ ଜଣକ ଅଭିଯୋଗକାରିଣୀଙ୍କୁ ଏଥିପାଇଁ ଖରାପ ଭାଷାରେ ଗାଳିଦେଇ ଚାପ ପକାଇଥିବା ଅଭିଯୋଗକାରିଣୀ ଓଡ଼ିଶା- ଝାଡ଼ଖଣ୍ଡ କୋଇଲାଖଣି ହେମଗିରି ସୀମାନ୍ତ ଅଞ୍ଚଳର ସୁନ୍ଦରଗଡରୁ ପ୍ରାୟ ୫୦ କିମି ଦୂରସ୍ଥ ଟିକିଲିପଡାରେ ରହୁଥିବା ଭସ୍ମାଥାନାର୍ନ୍ତଗତ କୁଣ୍ଡୁକେଲା -ଭାଲୁଗାଡ ଗ୍ରାମର ରଞ୍ଜିତା କାଲୋଙ୍କ ଠାରୁ ପ୍ରକାଶ । ତେବେ ତାଙ୍କ ଠାରୁ ଠକ ଜଣକ ଠକି ନେଇଥିବା ସବୁ ଟଙ୍କା ଫେରାଇବା ପରେ ଯାଇ ସେ ଉକ୍ତ ସତ୍ୟପାଠରେ ଦସ୍ତଖତ ଦେବେ ବୋଲି କହି କୋର୍ଟକୁ ଯିବାକୁ ମନାକରି ଦେଇଥିଲେ ।
ଫେସ୍ ବୁକ୍ ରେ ବନ୍ଧୁତା କରି ହନିଟ୍ରାପ୍ କୌଶଳ
ତେବେ ଏହି ମାମଲାରେ ଅଭିଯୁକ୍ତ ଠକ ସରୋଜ କୁମାର ଓରଫ ସରୋଜ କୁମ୍ଭାର ଓରଫ ସରୋଜ ନନ୍ଦ ଓରଫ ରିତେଶ ତ୍ରିପାଠୀଙ୍କୁ ବରଗଡ ଓ ବଲାଙ୍ଗୀର ପୁଲିସ ସହାୟତାରେ ସୁନ୍ଦରଗଡ ଭସ୍ମା ଥାନା ପୁଲିସ ବଲାଙ୍ଗୀରରୁ ଗିରଫ କରିବା ସହ ତା’ ଠାରୁ ଗୋଟିଏ ନୂଆ ହୁଣ୍ଡାଇ ଭେରେନା କାର୍ , ଗୋଟିଏ ସାମସଙ୍ଗ ଟାବଲେଟ, ୮ ଟି ମୋବାଇଲ ଫୋନ୍ , ୫ ଟି ଏଟିଏମ୍ ପାସ୍ ବୁକ୍ , ଏଟିଏମ କାର୍ଡ, ଚେକ୍ ବୁକ୍ ଆଦି ଜବତ କରିଛି । କିନ୍ତୁ ଏବେ ବି ଠକର ପତ୍ନୀ ଲୋଇସିଂହା ଥାନାନ୍ତର୍ଗତ କନ୍ଦାଜୁରୀ ଗ୍ରାମର କରିସ୍ମା ବାରିକ ବଲାଙ୍ଗୀର ପ୍ୟାଲେସ ଲାଇନ ସ୍ଥିତ ଏକ ଆପାର୍ଟମେଣ୍ଟରେ ଭଡାରେ ରହୁଥିବା ବେଳେ , ତାଙ୍କ ପାଖରେ ପଛକାଚରେ ‘ ପ୍ରଫେସର ‘ ଲେଖାଥିବା ଏକ କାର୍ ଓ ୩ ଟି ସ୍କୁଟି ଏବଂ ୨ଟି ବାଇକ୍ ରହିଛି , ଯାହାକୁ ପୁଲିସ ଜବତ କରିନାହିଁ କିମ୍ବା ଠକର ସହଯୋଗୀ ଥିବା ଠକର ପତ୍ନୀ , ଶଳା ଓ ଉପରୋକ୍ତ ଯାନ ଗୁଡିକ ଚଳାଉଥିବା ଅନ୍ୟମାନଙ୍କୁ ଗିରଫ କରି ନ ଥିବା ଆଶ୍ଚର୍ଯ୍ୟର କଥା। ! ଅନୁରୂପ ଭାବରେ ଉପରୋକ୍ତ ସମ୍ବାଦଦାତା ସମ୍ମିଳନୀରେ ଏସଡିପିଓ ଦେଇଥିବା ସୂଚନାନୁଯାୟୀ , ଉକ୍ତ ଅଭିଯୁକ୍ତଠକର ଅନ୍ଯାନ୍ଯ ମାମଲାଗୁଡିକୁ ତଦନ୍ତର ପରିସରଭୁକ୍ତ କରାଯାଇଥିବା ଜଣାଯାଇନାହିଁ ! ଅଭିଯୁକ୍ତ ଠକ ସରୋଜ କୁମ୍ଭାର ଓରଫ ସରୋଜ କୁମାର ଓରଫ ସରୋଜ ନନ୍ଦ ଓରଫ ରିତେଶ ତ୍ରିପାଠୀ ପ୍ରାୟତଃ ମହିଳାଙ୍କ ସହ ଫେସବୁକ୍ ବନ୍ଧୁତା ସ୍ଥାପନ କରି ସେମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଠକେଇର ଶିକାର କରୁଥିବା ଭସ୍ମା ଆଇ ଆଇସି ଅମର ହୋତାଙ୍କ ଠାରୁ ପ୍ରକାଶ।
ଏ ସମ୍ପର୍କରେ ଠକର ପତ୍ନୀ କରିସ୍ମା ବାରିକଙ୍କୁ ବଲାଙ୍ଗୀରର ପ୍ୟାଲେସ୍ ଲାଇନ୍ ର ଏମ୍ ସ ଗଳିରେ ଥିବା ‘ଏଲବିଏସ୍ ହେରିଟେଜ୍ ‘ ଆପାର୍ଟମେଣ୍ଟର ଭଡାଘରେ ଭେଟି ପଚରାଯାଇଥିଲା । ସେ ତାଙ୍କ ସ୍ବାମୀଙ୍କର ଠକେଇର ଶିକାର ହୋଇଥିବା ରଞ୍ଜିତା କାଲୋଙ୍କୁ କିଛି ଟଙ୍କା ଫେରାଇ ମାମଲାକୁ ସମାଧାନ କରିବାକୁ ସୁନ୍ଦରଗଡ ଯାଉଥିବା କହିବା ସହ ଉକ୍ତ ଦମ୍ପତି ପ୍ରକୃତରେ କି କି କାମଦାମ କରନ୍ତି ସମ୍ପର୍କରେ ନୀରବତା ଅବଲମ୍ବନ କରିଥିଲେ । ଉକ୍ତ ଆପାର୍ଟମେଣ୍ଟର ସିଂ ନାମକ ସିକ୍ୟୁରିଟି ଗାର୍ଡ ତାଙ୍କୁ ଭେଟିବା ପୂର୍ବରୁ ତଳେ ଥିବା ସେମାନଙ୍କର କାର୍ ଓ ସ୍କୁଟି / ବାଇକ୍ ଗୁଡିକୁ ଚିହ୍ନାଇ ଦେଇଥିବାବେଳେ , ପରେ ତାକୁ ଉକ୍ତ ମହିଳା ଜଣକ ଭିତରକୁ ଡାକି ବସାଇବା ଓ ସେ ମଧ୍ଯ ସେମାନଙ୍କ ପାଇଁ ଲବି କରୁଥିବାରୁ ସେ ସେଠାରେ ଉକ୍ତ ଠକଦମ୍ପତିଙ୍କୁ ସେ ଅବୈଧ ସୁରକ୍ଷା ଦେଇ ସହଯୋଗ କରୁଥିବା ଜଣାପଡୁଥିଲା ।
ସୁନ୍ଦରଗଡ ଜିଲ୍ଲାଜେଲ୍ ରେ ଥିବା ଉକ୍ତ ଅଭିଯୁକ୍ତଠକକୁ ସେ ଆଉ କେଉଁ କେଉଁ ଏଭଳି ଠକେଇରେ ଜଡିତ ଓ ସେ ପ୍ରକୃତରେ କି କାମ କରେ ? ‘ବୋଲି ପଚରାଯିବା ସତ୍ତ୍ବେ ସେ କିଛି କହି ନଥିଲା । ତେବେ ବରଗଡ ଜିଲ୍ଲାର ଏକ ନିପଟ ମଫସଲ ଗାଁ’ କନ୍ଦାଗାଡର ଜଣେ ଦଳିତ ଗରିବ ଯୁବକ ଓ ବଲାଙ୍ଗୀର ଜିଲ୍ଲାର ଏକ ଦଳିତ ଗ୍ରାମର ଜଣେ ଯୁବତୀ ଦମ୍ପତିଙ୍କର ପ୍ରକୃତରେ ଆୟଉପାର୍ଜନର ପନ୍ଥାଟି କ’ଣ , ରହସ୍ଯମୟ ! ତେବେ ଏତେବର୍ଷ ଧରି ସେମାନଙ୍କର ବିଳାସପୂର୍ଣ୍ଣ ରହଣୀ , ଗାଡିମଟର ଚଢା ଜୀବନଯାପନ ଅନୁସନ୍ଧାନ ସାପେକ୍ଷ । କନ୍ଦାଗାଡର ତା’ ପଡୋଶୀମାନେ ମଧ୍ଯ ତା’ର ଠକେଇ ସମ୍ପର୍କରେ ଜାଣିଥିବା ପ୍ରକାଶ କରିଥିବା ବେଳେ ରୋଗଗ୍ରସ୍ତ ବୃଦ୍ଧ ବାପ , ମାଆ , ବଡଭାଇ, ଭାଉଜ ଅଜ୍ଞତା ପ୍ରକାଶ କରିଥିଲେ । ତେବେ କିଛିବର୍ଷ ତଳେ ଲୋକଙ୍କୁ ଚାକିରୀ ଦେବାକୁ ଲକ୍ଷାଧିକ ଟଙ୍କାର ଠକେଇ ଅଭିଯୋଗରେ ଗିରଫ ହୋଇ ଜେଲ୍ ଯାଇଥିବା ବଲାଙ୍ଗୀର ଲୋଇସିଂହା ନିର୍ବାଚନ ମଣ୍ଡଳୀର ଜଣେ ସଂରକ୍ଷିତ ବର୍ଗର ପୂର୍ବତନ ଶିକ୍ଷକନେତା ତଥା କଂଗ୍ରେସର ବିଧାୟକ ପ୍ରାର୍ଥୀଙ୍କ ସହ ସେମାନଙ୍କର ଘନିଷ୍ଠ ସମ୍ପର୍କ ରହିଥିବା ଚର୍ଚ୍ଚାରୁ ପ୍ରକାଶ । ଏହା ପୂର୍ବରୁ ପ୍ରାୟ ବର୍ଷେ ତଳେ ବଲାଙ୍ଗୀର ଟାଉନ ଥାନା ପୁଲିସ ତାକୁ ସ୍ଥାନୀୟ ପ୍ୟାଲେସ ଲାଇନ ଛକରୁ ଜଣେ ମହିଳାଙ୍କୁ ପ୍ଲଟ୍ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକିବା ଅଭିଯୋଗରେ ଧରାପଡିଥିଲା ଓ ତା’ ପତ୍ନୀ ଉକ୍ତ ମହିଳାଙ୍କୁ ଥାନାରେ ଯାଇ ଟଙ୍କା ଫେରସ୍ତ ଦେବା ଜଣେ ଯୁବଓକିଲଙ୍କ ଠାରୁ ପ୍ରକାଶ । ତେବେ ଏ ସମ୍ପର୍କରେ ଥାନାରେ ଇ ମାମଲାକୁ ପୁଲିସ ଦଫାରଫା କରି ଦେଇଥିଲା । ସେହିପରି ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଅଞ୍ଚଳର ଜନୈକା କର୍ମଜୀବୀ ମହିଳାଙ୍କ ଠାରୁ ଠକି ଥିବା ପ୍ରକାଶ।
ଗିରଫ ଠକର ରାଜଧାନୀରେ ଠକେଇ ?
ଅଧିକନ୍ତୁ ଏହି ଠକର ଅନ୍ୟ ଏକ ବଡ ଠକେଇ ସମ୍ପର୍କରେ କିଛିଦିନ ତଳେ ଗତମାସରେ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସହରରେ ଡଲ୍ ଫିନ୍ କୋରିଅର୍ ଦେଇଥିବା ଜଣେ ପୂର୍ବତନ ସାମ୍ବାଦିକ ଦେବେନ୍ଦ୍ର ଦାଶ ଉକ୍ତ ଠକ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବା ସହ ସେ ବଲାଙ୍ଗୀର ଜିଲ୍ଲାର ଲୋଇସିଂହା କଲେଜର ଜଣେ ଅଧ୍ୟାପକ ଥିବା ଗାଇସିଲେଟ କନ୍ଦାଗାଡର ସରୋଜ କୁମାର ଗାଇସିଲେଟର ଟିଭିଏସ୍ ସୋନପୁର ରୁମ୍ ଦେଇଥିବା ‘ ଆକାଂକ୍ଷା ମୋଟର୍ସ’ରୁ ଲୋଇସିଂହା ଇଣ୍ଡିଆନ୍ ବ୍ୟାଙ୍କରୁ ଏକ ଜୁପିଟର୍ ସ୍କୁଟି ଫାଇନାନ୍ସରେ ନେଇଥିବା ଓ ସୋନପୁରରେ ରହୁଥିବା ବୀରମହାରାଜପୁର ବରଗାଁ’ର ସୁଶାନ୍ତ ମଲ୍ଲିକ ନାମକ ଜଣେ ଲୋକ କୁଆଡେ ତାଙ୍କୁ ଉକ୍ତ କଳାରଙ୍ଗର ଟିଭିଏସ୍ ଜୁପିଟର୍ ଏବଂ ଉକ୍ତ ଠକ ଜଣକ ଭୁବନେଶ୍ବର କଳିଙ୍ଗନଗରର ଜଣେ ଏନଜିଓ ବାଲା ଦିଲିପ ନାୟକଙ୍କ ଠାରୁ ୫୦ / ୬୦ ଲକ୍ଷରୁ ୧ କୋଟି ଟଙ୍କାର ଅଗ୍ରୀମ ନେଇ ୪ କୋଟି ଟଙ୍କାର ଏକ ଆପାର୍ଟମେଣ୍ଟ ବିକ୍ରି କରିବାର ଠକେଇ ଉଦ୍ୟମ କରିଥିବା ଇତ୍ୟାଦି ସୂଚନା ଦେବା ସହ ଉକ୍ତ ସ୍କୁଟି ଓ ଆପାର୍ଟମେଣ୍ଟର ଫଟୋ ଦେଇଥିବା କହିବା ସହ ଏକ କାର୍ ଭଡା କରି ବଲାଙ୍ଗୀରର କେତେକ ସାମ୍ବାଦିକଙ୍କୁ ଧରି ଗତ ମାସ ଶେଷ ସପ୍ତାହରେ ଲୋଇସିଂହା ଓ ଗାଇସିଲେଟ ଥାନାନ୍ତର୍ଗତ କନ୍ଦାଗାଡ ଉକ୍ତ ଠକର ଗାଁ’କୁ ନେଇଥିଲେ । କିନ୍ତୁ ସେ ଏସବୁ ସୂଚନା ଦେଇଥିବା ଉକ୍ତ ସୁଶାନ୍ତ ମଲ୍ଲିକଙ୍କୁ ଭେଟାଇ ନାହାଁନ୍ତି ! ଏପରିକି ଦେବେନ୍ଦ୍ର ଦାଶ ଉକ୍ତ ଠକଜଣକ ତାଙ୍କ ଠାରୁ ବିଭିନ୍ନ କିସ୍ତିରେ ଭୁବନେଶ୍ବରର ଉକ୍ତ ଆପାର୍ଟମେଣ୍ଟ ବିକିବାକୁ ୧୦ / ୧୦ ଲକ୍ଷ କରି ୫୦ ଲକ୍ଷ ଟଙ୍କା ନେଇଥିବା ଦର୍ଶାଇ ସୋନପୁର ପୁଲିସରେ ଏକ ପୁଲିସ ଏତଲା ଲେଖିଦେବାକୁ ମଧ୍ଯ ଅନୁରୋଧ କରି ଲେଖାଇ ନେଇ ରଖିଛନ୍ତି ।

ସେ ମଧ୍ଯ କେତେକ ଉକ୍ତ ସାମ୍ବାଦିକମାନଙ୍କୁ ଭୁବନେଶ୍ବର ଯାଇ କୋଠା କିଣିବାକୁ ଫସି କ୍ଷତିଗ୍ରସ୍ତ ହୋଇଥିବା ଉକ୍ତ ଏନଜିଓ ବାଲା ଦିଲିପ ନାୟକଙ୍କୁ ଭେଟିବାକୁ ଯିବାକୁ କହୁଥିବା ପ୍ରକାଶ । ପଚାରିଲେ , ସେ ଏ ସମ୍ପର୍କରେ ସେଠାକାର କେଉଁ କୋରିଅର୍ ବାଲାକୁ ଲଗାଇଥିବା ଓ ଇତିମଧ୍ଋୟରେ ସେ ସେଠାରୁ ଅଫିସ ଅନ୍ୟତ୍ର ଉଠାଇ ନେଇଥିବାଦି କହି ଚାଲିଛନ୍ତି । କିନ୍ତୁ ବିସ୍ମୟର ବିଷୟ ଯେ ଅଦ୍ୟାବଧି ସେ ନା କୌଣସି ସୁଶାନ୍ତ ମଲ୍ଲିକ ବା ନା କୌଣସି ଦିଲିପ ନାୟକଙ୍କର ଠାବ ଠିକଣା ଦେଇପାରିନାହାଁନ୍ତି !
ଭୁବନେଶ୍ବର କଳିଙ୍ଗନଗର ପାତ୍ରପଡାର ଏନଜିଓ ଅଫିସ୍ ବା ତଦନୁରୂପ କୌଣସି ଅଫିସ୍ କରିଥିବା ଏ ଦିଲିପ ନାୟକ କିଏ ? ଅବଶ୍ଯ ଭଦ୍ରକ ଅଞ୍ଚଳର କଟକରେ ସିଟିଓ ଥିବା ଜଣଙ୍କର ‘ଦିଶା ‘ ବୋଲି ଏଇ ଅଞ୍ଚଳରେ ଏକ ଅଫିସ୍ ଥିବା ଅସମର୍ଥିତ ସୂତ୍ରରୁ ସୂଚନା ମିଳୁଛି । ତେବେ ଏହା ସତ୍ଯ ହୋଇ ନ ଥାଇପାରେ ଓ ଅନ୍ଧାରରେ ବାଡିବୁଲାଇବା ପରି ଏକ ଅନୁମାନ ମାତ୍ର ।
ସେ ଦେଇଥିବା ‘ ମାନସୀ , ସୁଶାନ୍ତ ମଲ୍ଲିକ କୁଷ୍ଟାପଡା ‘ ( ସୋନପୁର)୮୨୪୯୫୬୭୩୯୩ ଫୋନ୍ ନମ୍ବରଟି ମଧ୍ଯ ଅଚଳ ରହିଛି । ସେ ମଧ୍ଯ ପୂର୍ବରୁ ସୋନପୁର କୃଷି ବିଭାଗରୁ ଏବେ ବୀରମହାରାଜପୁରକୁ ବଦଳି ହୋଇଯାଇଥିବା ବୀରମହାରାଜପୁର ଆଡର ଜନୈକ ……ବୁଲେଟ୍ ବାଲା କପାଳରେ ସିନ୍ଦୁର କଲି ମାରୁଥିବା ……. ମହାକୁଡ( ଯିଏ କି ଚାକିରୀ ଛାଡି , ଏବେ ଲୋକଙ୍କୁ ଚାକିରୀ ଦେଉଥିବା କୁହାଯାଉଛି ) ର ଗପ କହି ଏମାନେ ଉକ୍ତ ଠକର ଏଜେଣ୍ଟ ବୋଲି ଭୁଆଁବୁଲାଇ ଆସୁଛନ୍ତି । ତେଣୁ ତାଙ୍କର ଏତାଦୃଶ କାର୍ଯ୍ୟକଳାପ ସନ୍ଦେହଜନକ ମନେ ହେଉଛି । ସେ ତାଙ୍କକଥିତ ସୁଶାନ୍ତ ମଲ୍ଲିକର ଠିକଣା ଓ ପରିଚୟକୁ ଲୁଚାଉ ନାହାଁନ୍ତି ତ ? ଏହାର ସତ୍ୟାସତ୍ୟ ଉନ୍ମୋଚନ ମଧ୍ଯ ଆବଶ୍ୟକ ।
କେଉଁଠି ଆୟକର ଅଧିକାରୀ , କେବେ ବିକ୍ରିକର କମିଶନର, କେଉଁଠି ପ୍ରଫେସର ଓ କେଉଁଠି ଆଉ କ’ଣ , ଶ୍ୟାମଳବର୍ଣର ଏଇ ପତଳା ଦୁର୍ବଳ ସାଧାରଣ ଦେଖାଯାଉଥିବା ଏଇ ଯୁବକଟିର କାର୍ଯ୍ୟକଳାପ ଅତ୍ୟନ୍ତ ସନ୍ଦେହଜନକ । ଏଣୁ ଉକ୍ତ ଠକ ଓ ସମ୍ପୃକ୍ତ ସନ୍ଦେହାସ୍ପଦ ବ୍ୟକ୍ତିବିଶେଷଙ୍କ ସମ୍ପର୍କରେ ଏକ ପୁଲିସ ତଦନ୍ତ ଜରୁରୀ ବୋଲି ଜନସାଧାରଣଙ୍କ ପକ୍ଷରୁ ମତବ୍ୟକ୍ତ କରାଯାଉଛି । ସରକାର ଏଥିପ୍ରତି ଦୃଷ୍ଟି ଦେବେ କି ?


“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।